ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି, ତୁରନ୍ତ ଇରାନ ଛାଡି ଦିଅନ୍ତୁ
ଇରାନରେ ବିରୋଧ ପ୍ରଦର୍ଶନ ଦିନକୁ ଦିନ ନିୟନ୍ତ୍ରଣ ହରାଉଛି। ଏପର୍ଯ୍ୟନ୍ତ ଏହି ପ୍ରଦର୍ଶନରେ ଅଢେଇ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇ ସାରିଛି। ଇରାନର ଖରାପ ପରିସ୍ଥିତି ଭିତରେ ଭାରତୀୟ ଦୂତାବାସ ସେଠାରେ ରହୁଥିବା ଭାରତୀୟଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରୀ ଜାରି କରିଛି । ଏଥିରେ ଇରାନରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଯଥାଶୀଘ୍ର ଦେଶ ଛାଡିବାକୁ ପରାମର୍ଶ ଦିଆଯାଇଛି । କୁହାଯାଇଛି ଯେ ସେମାନେ ଇରାନ ଛାଡିବା ପାଇଁ ଯେକୌଣସି ଉପାୟ ବ୍ୟବହାର କରିପାରିବେ ।
ଦୂତାବାସ କହିଛି ଯେ,ସେ କମର୍ସିଆଲ ଫ୍ଲାଇଟ ସହିତ ଉପଲବ୍ଧ ଟ୍ରାନ୍ସପୋର୍ଟ ସାଧନର ବ୍ୟବହାର କରି ଇରାନ ଛାଡି ଦିଅନ୍ତୁ। ଏହି ନିଷ୍ପତ୍ତି ବଦଳୁଥିବା ସ୍ଥିତିକୁ ଦେଖି ନିଆଯାଇଛି।ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ତେହେରାନରେ ଥିବା ଭାରତୀୟ ଦୂତାବାସ ସ୍ପଷ୍ଟ କରିଛି ଯେ ଇରାନରେ ଉପସ୍ଥିତ ଭାରତୀୟ ଛାତ୍ର, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକମାନେ ଯଥାଶୀଘ୍ର ବିମାନ କିମ୍ବା ଅନ୍ୟ ଉପାୟରେ ଚାଲିଯିବା ଉଚିତ । ଦୂତାବାସ ନାଗରିକମାନଙ୍କୁ ପ୍ରଦର୍ଶନ କିମ୍ବା ଭିଡ଼ ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ।
ଭାରତୀୟ ଦୂତାବାସ ମଧ୍ୟ ସଙ୍କଟରେ ଥିବା ଭାରତୀୟମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା ପାଇଁ ଅନେକ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି କରିଛି। ଭାରତୀୟ ନାଗରିକମାନଙ୍କୁ +୯୮ ୯୧୨୮୧୦୯୧୧୫, +୯୮ ୯୧୨୮୧୦୯୧୦୯, +୯୮ ୯୧୨୮୧୦୯୧୦୨, ଏବଂ +୯୮ ୯୯୩୨୧୭୯୩୫୯ ରେ ଯୋଗାଯୋଗ କରିବାକୁ କୁହାଯାଇଛି। ସହାୟତା ପାଇଁ ଏକ ଇମେଲ୍ ଠିକଣା ମଧ୍ୟ ଜାରି କରାଯାଇଛି: cons.tehran@mea.gov.in।
Powered by Froala Editor