ନୂଆବର୍ଷ ପାଇଁ ନୀତି ନିର୍ଘଣ୍ଟରେ ପରିବର୍ତ୍ତନ, ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟା
ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ, ସେଥିପାଇଁ ନୀତି ନିର୍ଘଣ୍ଟରେ ପରିବର୍ତ୍ତନ କରାଯାଇଛି।
ଗୋଟିଏ ପଟେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ ଲାଗି ପୁରୀକୁ ଛୁଟିଲେଣି ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକ। ଜିରୋ ନାଇଟ୍ ସେଲିବ୍ରେସନ ସାରି ସିଧା ଜଗା ଦର୍ଶନରୁ ବର୍ଷ ଆରମ୍ଭ ପାଇଁ ସମସ୍ତେ ବ୍ୟଗ୍ର ଥିବାରୁ ସେଇ ରାତିରୁ ଶ୍ରୀମନ୍ଦିରକୁ ଛୁଟିବ ଭକ୍ତଙ୍କ ସୁଅ। ସେଥିଲାଗି ବଡ଼ଦାଣ୍ଡରୁ ବ୍ୟାରିକେଡ୍ ଓ ସିଂହଦ୍ବାରରୁ ସାତ ପାହାଚ। ସବୁଠି ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ ରହିବେ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି। ତାସହ ପୂର୍ବ ନିଷ୍ପତ୍ତିକ୍ରମେ ଜାନୁଆରୀ ୧ ତାରିଖ ଦିନ କେବଳ ସିଂହଦ୍ବାରରେ ପ୍ରବେଶ ସହ ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ। ତାସହ ଟ୍ରାଫିକ୍, ପାର୍କିଂ ସହ ବେଳାଭୂମୀକୁ ବି ଫୋକସରେ ରଖାଯିବା ସହ ପୁରୀରେ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ ବୋଲି କହିଛନ୍ତି ଏସପି। ସେପଟେ ଟ୍ରେନ୍ ଯାତ୍ରୀଙ୍କ ସଂଖ୍ୟା ବି ବହୁ ଗୁଣା ବଢ଼ିଥିବାରୁ ଡିସେମ୍ବର ୨୫ରୁ ଜାନୁଆରୀ ୩ ପର୍ଯ୍ୟନ୍ତ ପୁରୀ ରେଳ ଷ୍ଟେସନରେ ଯାତ୍ରୀ ସୁରକ୍ଷା ଓ ଟ୍ରେନ୍ ସମନାୟୁବର୍ତ୍ତିତାକୁ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି ଷ୍ଟେସନ ଡିରେକ୍ଟର।
ଡିସେମ୍ବର ୩୧ ତାରିଖ ରାତି ୧୧ଟାରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ହେବ। ନବବର୍ଷର ପ୍ରଥମ ଦିନ ଅର୍ଥାତ୍ ଜାନୁଆରୀ ୧ ତାରିଖ ପାଇଁ ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟାଯିବ। ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ଦୁଇ ଦିନ ଧରି ଭକ୍ତମାନେ କେବଳ ବାହାର କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବେ ଏବଂ ଅନ୍ୟ ୩ଟି ଦ୍ୱାର ଦେଇ ବାହାରକୁ ପ୍ରସ୍ଥାନ କରିବେ।
Powered by Froala Editor