ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର, କାହିଁକି ଜାଣନ୍ତୁ?
ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ପତ୍ର ଲେଖି ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ (ଓଏସସିବିସି) ର ତୁରନ୍ତ ପୁନର୍ଗଠନ ପାଇଁ ଅନୁରୋଧ କରିଛନ୍ତି । ସାମାଜିକ ନ୍ୟାୟ ପ୍ରଦାନ ଏବଂ ପଛୁଆ ବର୍ଗର ଲୋକଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ କାର୍ୟ୍ୟକାଳ ଗତ ଜାନୁଆରୀ ୩, ୨୦୨୪ରେ ଶେଷ ହୋଇସାରିଛି ଏବଂ ନୂତନ ସଦସ୍ୟ ନିଯୁକ୍ତ ହୋଇ ନଥିବାରୁ ଏହା ବର୍ତ୍ତମାନ କାର୍ୟ୍ୟକ୍ଷମ ନାହିଁ । ଓଡ଼ିଶା ରାଜ୍ୟର ଜନସଂଖ୍ୟାର ଏକ ପ୍ରମୁଖ ଅଂଶ ଭାବେ ପ୍ରାୟ ୨୧୬ଟି ସାମାଜିକ ଏବଂ ଶିକ୍ଷାଗତ ପଛୁଆ ବର୍ଗ (ଏସଇବିସି) ସମୁଦାୟ ଓଡ଼ିଶାରେ ବସବାସ କରୁଛନ୍ତି । ଆୟୋଗ କାର୍ୟ୍ୟକ୍ଷମ ନଥିବାରୁ ଏହି ବର୍ଗର ଲୋକମାନେ ଶିକ୍ଷା, ନିଯୁକ୍ତି ଏବଂ କଲ୍ୟାଣକାରୀ ଯୋଜନାର ସୁଫଳ ପାଇବାରେ ବହୁବିଧ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି । ନିଜର ସମସ୍ୟା ଉପସ୍ଥାପନ କରିବା ପାଇଁ ସେମାନେ ଏକ ସାମ୍ବିଧାନିକ ମଞ୍ଚରୁ ବଞ୍ଚିତ ହେଉଛନ୍ତି ।
ନୂତନ ଜାତିକୁ ଏସଇବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା, ଅଭିଯୋଗର ସମାଧାନ କରିବା ଏବଂ ପଛୁଆ ବର୍ଗଙ୍କ ପାଇଁ ସରକାରଙ୍କୁ ନୀତିଗତ ପରାମର୍ଶ ଦେବାରେ ଓଏସସିବିସିଙ୍କ ମୁଖ୍ୟ ଭୂମିକା ରହିଛି । ରାଜ୍ୟର ପଛୁଆ ବର୍ଗର ହିତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଥିରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଆୟୋଗର ପୁନର୍ଗଠନ କରିବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି ।
Powered by Froala Editor