ସାରା ରାଜ୍ୟରେ କଂଗ୍ରେସ କରିବ ବିକ୍ଷୋଭ ଓ ଶୋଭାଯାତ୍ରା
ଭୁବନେଶ୍ବର : ଟାଟା ପାୱାର ଅତିରିକ୍ତ ସୁରକ୍ଷା ଜମା ଟଙ୍କା, ଧାନ ସଂଗ୍ରହରେ ଅବ୍ୟବସ୍ଥା ଏବଂ ମନରେଗା ନାମ ପରିବର୍ତ୍ତନ ନେଇ ସାରା ରାଜ୍ୟରେ କଂଗ୍ରେସ ବିକ୍ଷୋଭ ଓ ଶୋଭାଯାତ୍ରା କରିବ। ବିଦ୍ୟୁତ୍ ଉପଭୋକ୍ତାଙ୍କଠାରୁ ଅତିରିକ୍ତ ସୁରକ୍ଷା ଜମା ଟଙ୍କା ଆଦାୟ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ କଂଗ୍ରେସ ପକ୍ଷରୁ ଚଳିତ ମାସ ୨୯ରେ ପ୍ରତି ଜିଲା ମୁଖ୍ୟାଳୟର ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଘେରଉ କରାଯିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। କଂଗ୍ରେସ ଭବନରେ ରବିବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଲେ, ଯଦି ଟାଟା ପାୱାର ଅତିରିକ୍ତ ସୁରକ୍ଷା ଜମା ଟଙ୍କା ଆଦାୟ ନିଷ୍ପତ୍ତି ପ୍ରତ୍ୟାହାର ନକରେ ତେବେ ଆସନ୍ତା ୨୬ରେ କଂଗ୍ରେସ କର୍ମୀ ସମସ୍ତ ଜିଲା ମୁଖ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୈଠକ କରିବେ। ଏଠାରୁ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ। ଟାଟା ପାୱାର ବିଦା ନ ହେବା ଯାଏଁ ଆଇନ ଅମାନ୍ୟ ଆନ୍ଦୋଳନ ଜାରି ରହିବ। ଚଳିତ ମାସ ୨୯ ତାରିଖରେ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରଉ କରାଯିବ।
ଗତବର୍ଷ ଧାନ କିଣାରେ ଦୁଇ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିଲା ବୋଲି ଅଭିଯୋଗ ଆଣିଛନ୍ତି ପିସିସି ସଭାପତି ଶ୍ରୀ ଦାସ। ଏବର୍ଷ ମଧ୍ୟ ଚାଷୀଙ୍କୁ ଟୋକନ ଦିଆଯାଉ ନାହିଁ। ଖୁଲମଖୁଲା କଟନୀ ଛଟନୀ କରାଯାଉଛି। ମଣ୍ଡିଗୁଡ଼ିକରେ ଅବ୍ୟବସ୍ଥା ଲାଗି ରହିଛି। ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଦୁର୍ବାର ଆନ୍ଦୋଳନ କରିବ କଂଗ୍ରେସ। ଆସନ୍ତା ୨୩ରେ ଧାନ ସଂଗ୍ରହକୁ ନେଇ ବିକ୍ଷୋଭ କରିବ କଂଗ୍ରେସ। ସବୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲାର ନେତା ଓ କର୍ମୀ ଧାରଣା ଦେବେ। ୨୪ ତାରିଖରେ ଧାନ ସଂଗ୍ରହରେ ସରକାରୀ ଚଞ୍ଚକତା ଓ ଅରାଜକତା ବିରୋଧରେ ଜିଲା କଂଗ୍ରେସ କମିଟି ପକ୍ଷରୁ ପ୍ରତି ଜିଲା ମୁଖ୍ୟାଳୟରେ ଶୋଭାଯାତ୍ରା କରାଯିବ। କେଉଁ ସ୍ଥାନରୁ କେଉଁ ସ୍ଥାନ ପର୍ଯ୍ୟନ୍ତ ଶୋଭାଯାତ୍ରା ହେବ ସେସବୁ ସମ୍ପୃକ୍ତ ଜିଲା ସଭାପତି ନିର୍ଣ୍ଣୟ ନେବେ। ସେହିପରି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ର ନାମ ପରିବର୍ତ୍ତନ ନେଇ ଆନ୍ଦୋଳନ ଡାକରା ଦେଇଛି କଂଗ୍ରେସ।
Powered by Froala Editor