ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ନିୟମିତ ସୁଧ ଫେରସ୍ତ ସରକାରଙ୍କ ପ୍ରତିବଦ୍ଧତା: ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ନିୟମିତ ସୁଧ ଫେରସ୍ତ ସରକାରଙ୍କ ପ୍ରତିବଦ୍ଧତା ଓ ଏହା ସଦସ୍ୟାମାନଙ୍କ ଅର୍ଥନୈତିକ ଭାଗିଦାରୀକୁ ଆହୁରି ସଶକ୍ତ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି।
ଆଜି ମିଶନ ଶକ୍ତି ଭବନ ଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ କରକମଳରେ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ରାଜ୍ୟର ୧ଲକ୍ଷ ୫୫ହଜ଼ାର ୮୫୨ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୦ କୋଟି ୨୦ ଲକ୍ଷ ୫୨ହଜ଼ାର ୬୨୧ ଟଙ୍କା ବ୍ୟାଙ୍କ ଋଣ ସୁଧ ଫେରସ୍ତ ଆକାରରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରେରଣ କରାଯାଇଛି।
ଏହି କାର୍ୟ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଗିରିଶ ଏସ. ଏନ., ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ, ଅତିରିକ୍ତ ସଚିବବୃନ୍ଦ ଓ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ୟ୍ୟକ୍ରମରେ ବିଭିନ୍ନ ବ୍ୟାଙ୍କର ପ୍ରତିନିଧିବୃନ୍ଦ ସହିତ ବିଭାଗର ସମସ୍ତ କ୍ଷେତ୍ରସ୍ତରୀୟ କର୍ମଚାରୀ, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାବୃନ୍ଦ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ ଯେ ୨୦୨୫-୨୬ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୩୧୮ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ସୁଧ ଫେରସ୍ତ କରାଯାଇଛି ।
Powered by Froala Editor