୨୦୦ ପ୍ରକାରର ଖାଦ୍ୟ, କୃଷିଜାତ ଏବଂ କୃଷି ସମ୍ବନ୍ଧୀୟ ଉତ୍ପାଦ ଉପରୁ ଶୁଳ୍କ ହ୍ରାସ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରିଛନ୍ତି ଯାହା ଗୋମାଂସ, କଫି ଏବଂ କ୍ଟିପିକାଲ ଫଳ ସମେତ ଅନେକ ସାମଗ୍ରୀ ଉପରେ ଶୁଳ୍କ ଉଚ୍ଛେଦ କରିଥାଏ। ବୃଦ୍ଧି ପାଉଥିବା ମୂଲ୍ୟ ଏବଂ ମୁଦ୍ରାସ୍ଫୀତି ଦ୍ୱାରା କ୍ରମାଗତ ଭାବରେ ସମସ୍ୟାର ସମ୍ମୁଖୀନ ହେଉଥିବା ଗ୍ରାହକମାନଙ୍କ ଚାପର ପ୍ରତିକ୍ରିୟାରେ ଟ୍ରମ୍ପଙ୍କ ଏହି ପଦକ୍ଷେପ ଆସିଛି।
ଘରୋଇ ବଜାରରେ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଟ୍ରମ୍ପ୍ ପ୍ରାୟ ୨୦୦ ପ୍ରକାରର ଖାଦ୍ୟ, କୃଷିଜାତ ଏବଂ କୃଷି ସମ୍ବନ୍ଧୀୟ ଉତ୍ପାଦ ଉପରୁ ଆମଦାନୀ ଶୁଳ୍କ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି।ଆମେରିକା ଦ୍ୱାରା ଶୁଳ୍କ କୋହଳ କରାଯାଇଥିବା ତାଲିକାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭାରତୀୟ ରପ୍ତାନୀ ସାମଗ୍ରୀ ସ୍ଥାନ ପାଇଛି। ଏଥିରେ ଗୋଲମରିଚ, ଲବଙ୍ଗ, ଜୀରା, ଅଳେଇଚ, ହଳଦୀ, ଅଦା, ବିଭିନ୍ନ ପ୍ରକାରର ଚା’, ଅମୃତଭଣ୍ଡା, କାଜୁ ଏବଂ ଆମ୍ବ ଭଳି ଉତ୍ପାଦ ସାମିଲ୍ ଅଛି।
୨୦୨୪ରେ ଭାରତ ଆମେରିକାକୁ ୫୦୦ ମିଲିୟନ୍ ଡଲାରରୁ ଅଧିକ ମୂଲ୍ୟର ମସଲା ରପ୍ତାନି କରିଥିଲା। ପ୍ରାୟ ୫୦ଟି ପ୍ରୋସେସ୍ଡ ଫୁଡ୍ କାଟେଗୋରୀ ଏବଂ ମସଲା (୩୫୯ ମିଲିୟନ୍ ଡଲାର) ସର୍ବାଧିକ ଲାଭବାନ ହେବେ ବୋଲି ଆଶା କରାଯାଉଛି।
ଜଣେ ଭାରତୀୟ ସରକାରୀ ଅଧିକାରୀ କହିଛନ୍ତି ଯେ, ଏହି ଶୁଳ୍କ ହ୍ରାସ ଭାରତୀୟ କୃଷି ରପ୍ତାନୀ ପାଇଁ ଏକ ସମାନ ସୁଯୋଗ ଆଣିଦେବ ଏବଂ ଭାରତୀୟ ଉତ୍ପାଦଗୁଡ଼ିକ ଆମେରିକା ବଜାରରେ ପ୍ରତିଯୋଗିତାମୂଳକ ସୁବିଧା ପାଇବେ। ତେବେ ଏହି ଆଶ୍ୱସ୍ତିରେ ଭାରତର କିଛି ବଡ଼ ଆୟକାରୀ କୃଷିଜାତ ଉତ୍ପାଦକୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ।
ଚିଙ୍ଗୁଡ଼ି, ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟ ଏବଂ ବାସମତୀ ଚାଉଳ ଭଳି ଉଚ୍ଚ ମୂଲ୍ୟର ରପ୍ତାନୀ ଏହି ଛାଡ଼ ତାଲିକାରୁ ବାଦ୍ ପଡ଼ିଛି। ଏହା ବ୍ୟତୀତ, ଭାରତୀୟ ରତ୍ନ, ଅଳଙ୍କାର ଏବଂ ପୋଷାକ ଉପରେ ୫୦% ଶୁଳ୍କ ବଳବତ୍ତର ରହିଛି।
ରାଷ୍ଟ୍ରପତି ଟ୍ରମ୍ପଙ୍କ ସରକାର କଫି, ଗୋମାଂସ, କଦଳୀ ଏବଂ କମଳା ରସ ସମେତ ୨୦୦ ରୁ ଅଧିକ ଖାଦ୍ୟ ଉତ୍ପାଦ ଉପରୁ ଶୁଳ୍କ ଉଠାଇବା ପାଇଁ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜାରି କରିଛନ୍ତି।
Powered by Froala Editor