ମିଳିପାରୁନାହିଁ ନ୍ୟାୟ, ୩୩ ଟଙ୍କାର ମାସିକିଆ ପେନ୍ସନ ପାଇବାକୁ ୫୦ ବର୍ଷ ହେଲା ଦୌଡୁଛନ୍ତି ମହିଳା
ଭୋପାଳ: ୩୩ ଟଙ୍କାର ମାସିକିଆ ପେନ୍ସନ ପାଇବାକୁ ମଧ୍ୟପ୍ରଦେଶର ଗ୍ବାଲିୟରରେ ବାସ କରୁଥିବା ଜଣେ ୭୯ ବର୍ଷୀୟା ମହିଳାଙ୍କୁ ଦୀର୍ଘ ୫୦ ବର୍ଷ ଧରି ଅଦାଲତର ଦ୍ବାରସ୍ଥ ହେବାକୁ ପଡିଛି। ସୂଚନା ଅନୁଯାୟୀ ମିଥିଲେଶ ଶ୍ରୀବାସ୍ତବ ନାମ୍ନୀ ଏହି ମହିଳାଙ୍କ ସ୍ବାମୀ ଶଙ୍କରଲାଲ ଶ୍ରୀବାସ୍ତବ ମଧ୍ୟପ୍ରଦେଶରେ ପୁଲିସ ଚାକିରି କରୁଥିବାବେଳେ ୧୯୭୧ରେ ଇସ୍ତଫା ଦେଇଥିଲେ। ୧୯୭୫ରେ ଶଙ୍କରଲାଲଙ୍କର ମୃତ୍ୟୁ ହୋଇଥିଲା। ସରକାରୀ ନିୟମ ଅନୁଯାୟୀ ସେତେବେଳେ ମିଥିଳେଶଙ୍କୁ ଫ୍ୟାମିଲି ପେନ୍ସନ ବାବଦରେ ମାସକୁ ୩୩ ଟଙ୍କା ମିଳିବା କଥା। କୌଣସି କାରଣରୁ ପେନ୍ସନ କାଗଜପତ୍ର ପ୍ରସ୍ତୁତ ହୋଇପାରିନଥିଲା। ଏଥିରେ ଅହେତୁକ ବିଳମ୍ବ ଘଟିବାରୁ ମିଥିଳେଶ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୦୫ରେ ନିମ୍ନ ଅଦାଲତ ମିଥିଳେଶଙ୍କ ସପକ୍ଷରେ ରାୟ ଦେଇଥିଲେ। ତେବେ ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ତାଙ୍କୁ ପୁଣି ନିରାଶ ହେବାକୁ ପଡିଥିଲା। ବିଭିନ୍ନ କାଗଜପତ୍ର ଦାଖଲ କରିବାକୁ ମିଥିଳେଶଙ୍କୁ ପୁଲିସ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। କାଗଜପତ୍ର ଦାଖଲ ସତ୍ତ୍ବେ ମାମଲାର ଫଇସଲା ହୋଇପାରିନଥିଲା।
ଏଥିରେ କ୍ଷୁବ୍ଧ ହୋଇ ମିଥିଳେଶ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଗ୍ବାଲିୟର ବେଞ୍ଚରେ ଏକ ପିଟିସନ ଦାଏର କରିଥିଲେ। ଫ୍ୟାମିଲି ପେନ୍ସନ ପ୍ରଦାନ କ୍ଷେତ୍ରରେ ପୁଲିସ ବିଭାଗର ଏଭଳି ଅବ୍ୟବସ୍ଥା ଦେଖି ହାଇକୋର୍ଟ ବିଚାରପତି ମଧ୍ୟ ବିସ୍ମିତ ହୋଇପଡିଥିଲେ। ନିକଟରେ ମାମଲାର ଶୁଣାଣି କରାଯାଇଥିବାବେଳେ ବିଚାରପତି ସିଓପୁର ଏସ୍ପିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। ମିଥିଳେଶଙ୍କ ଘଟଣାରେ ନ୍ୟାୟ ପ୍ରଦାନରେ ବିଳମ୍ବ ଘଟୁଥିବାବେେଳ ଏ ପର୍ଯ୍ୟନ୍ତ ନ୍ୟାୟ ମିଳିପାରୁନାହିଁ।
Powered by Froala Editor