ଓଡ଼ିଶାକୁ ଲମ୍ବିଛି କ୍ରିପ୍ଟୋ କରେନ୍ସି ଠକଙ୍କ ଚେର, ୫୦୦ କୋଟି ଠକି ମାରିଥିଲେ ଛୁ.....
ଭୁବନେଶ୍ବର: କ୍ରିପ୍ଟୋ କରେନ୍ସି ଠକଙ୍କ ଚେର ଓଡ଼ିଶାକୁ ଲମ୍ବିଛି। ଅଧିକ ଲାଭ ମିଳିବା ପ୍ରତିଶ୍ରୁତି ଦେଇ ପ୍ରାୟ ୧୦୦୦ ଲୋକଙ୍କୁ ଏହି ଠକ ରାକେଟ ଜାଲରେ ଫସାଇ ଥିଲେ। ସେମାନଙ୍କଠାରୁ ପ୍ରାୟ ୫୦୦ କୋଟି ଠକି ଛୁ’ ମାରିଥିଲେ। ପଶ୍ଚିମବଙ୍ଗରୁ ଠକେଇ କରି ଫେରାର ଥିବାବେଳେ ସମ୍ପୃକ୍ତ ୫ ଠକଙ୍କୁ କଟକ କମିସନରେଟ ପୁଲିସ ଧରିବାରେ ସଫଳ ହୋଇଛନ୍ତି। ଏହି ଠକଙ୍କୁ ଅପହରଣ କରିବା ଅଭିଯୋଗରେ ପଶ୍ଚିମବଙ୍ଗର ୨୭ ଜଣ ନିବେଶକାରୀଙ୍କୁ ମଧ୍ୟ ଚାଉଳିଆଗଞ୍ଜ ପୁଲିସ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ପୁଲିସ ୩୫ଟି ମୋବାଇଲ ଫୋନ୍, ଅପହରଣରେ ବ୍ୟବହୃତ ୪ଟି କାର୍ ଓ କ୍ରିପ୍ଟୋ କରେନ୍ସି ପାଇଁ ଥିବା ଗୋଟିଏ ୱାଲେଟକୁ ଜବତ କରିଛି। ଏ ସଂକ୍ରାନ୍ତରେ ପୁଲିସ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଭୁବନେଶ୍ବର ବାସିନ୍ଦା ଥିବା କଟକ ପୁଲିସ ଉପାୟୁକ୍ତ ରିଷିକେଶ ଖିଲାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଘଟଣାକୁ ଗୁରୁତର ସହ ଗ୍ରହଣ କରି ପୁଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର୍ କରିଛି। ଧରାପଡ଼ିଥିବା ୪ ଠକ କ୍ରିପ୍ଟୋ କରେନ୍ସି କାରବାର ଲାଗି ‘ଓ-ଟୁ ୱାର୍ଲ୍ଡ’ ନାଁରେ ପ୍ରଥମେ ଏକ ଆପ୍ ଖୋଲିଥିଲେ। ବିଭିନ୍ନ ସ୍ଥାନରେ ବୈଠକ କରି ଅଧିକ ଲାଭ ମିଳିବ ବୋଲି ନିବେଶକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସେମାନଙ୍କ କଥାକୁ ବିଶ୍ବାସ କରି ଶତାଧିକ ଲୋକ ଲକ୍ଷ ଲକ୍ଷ ଟଙ୍କା କ୍ରିପ୍ଟୋ କରେନ୍ସିରେ ନିବେଶ କରିଥିଲେ। ଲୋକଙ୍କ ମନରେ ପୁଣି ବିଶ୍ବାସ ଜନ୍ମାଇବା ଲାଗି ଏହି ଠକମାନେ ନିବେଶକାରୀଙ୍କୁ ଲାଭ ମିଳିଥିବା ଦର୍ଶାଇ କିଛି ମାସ ଟଙ୍କା ଦେଇଥିଲେ। କୋଟି କୋଟି ଟଙ୍କା ସଂଗ୍ରହ କରିବା ପରେ ଉକ୍ତ ଆପ୍କୁ ସେମାନେ ବନ୍ଦ କରି ଦେଇଥିଲେ। ନିବେଶକାରୀମାନେ ଜମା କରିଥିବା ଟଙ୍କା ଫେରିପାଇବା ଲାଗି ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ଠକ ଦଳ ଧରାଛୁଆଁ ଦେଇନଥିଲେ। ଆଉ କିଛି ଲୋକଙ୍କୁ ଠକିବାକୁ ଯୋଜନା କରି ଏହି ଠକମାନେ କ୍ରିପ୍ଟୋ କରେନ୍ସି କାରବାର ଲାଗି ଇକୋନିଷ୍ଟ ନାମରେ ପୁଣି ଏକ ଆପ୍ ଖୋଲିଥିଲେ।
ଏହି ନୂଆ ଆପ୍ ଜରିଆରେ ଠକ ଦଳ ଆଉ କିଛି ଲୋକଙ୍କୁ ଠକି ଫେରାର ହୋଇଯାଇଥିଲେ। ନିବେଶକାରୀମାନେ ସେମାନଙ୍କୁ ଖୋଜୁଥିବା ବେଳେ ୫ ଠକ ଆସି ପୁରୀର ଏକ ହୋଟେଲରେ ରହିଥିଲେ। ଏହି ସୂଚନା ପାଇ ପଶ୍ଚିମବଙ୍ଗରୁ କାର୍ରେ ୨୭ ଜଣ ନିବେଶକାରୀ ଆସି ପୁରୀରୁ ସେମାନଙ୍କୁ ଅପହରଣ କରିଥିଲେ। କଟକ ଚାଉଳିଆଗଞ୍ଜ ଥାନା ଅଧୀନ ଶିଖରପୁର ଅଞ୍ଚଳରେ ଥିବା ଏକ ହୋଟେଲରେ ଠକଙ୍କୁ ରଖି ନିଜେ ରହିଥିଲେ। ଦେଇଥିବା ଟଙ୍କା ଫେରାଇବା ଲାଗି ଠକଙ୍କ ଉପରେ ଚାପ ପକାଇଥିଲେ। ସମ୍ପୃକ୍ତ ହୋଟେଲ ସମ୍ମୁଖରେ ପଶ୍ଚିମବଙ୍ଗ ନମ୍ବର ଥିବା ଏକାଧିକ କାର୍ ଦେଖିବା ପରେ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ଏନେଇ ଲୋକେ ଥାନାକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ହୋଟେଲରେ ଅତର୍କିତ ଚଢ଼ଉ କରି ସମସ୍ତ ୩୨ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ପରେ ସେମାନଙ୍କୁ ପୁଲିସ ହେପାଜତକୁ ନେଇ ଜେରା କରିବା ପରେ କ୍ରିପ୍ଟୋ କଏନ ଘଟଣା ପଦାକୁ ଆସିଥିଲା। ଉଭୟଙ୍କ ଅଭିଯୋଗକୁ ଆଧାର କରି ପୁଲିସ ୨୭ ଅଭିଯୁକ୍ତଙ୍କ ନାମରେ ଅପହରଣ ମାମଲା ରୁଜୁ କରିଥିବାବେଳେ ୫ ଅଭିଯୁକ୍ତଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
Powered by Froala Editor