ଝିଅ ସାମ୍ନାରେ ବାପା ନେଇଗଲା ମା ଜୀବନ

ଭଦ୍ରକ: ପରକୀୟା ପ୍ରୀତି କେତେ ଯେ ଭୟଙ୍କର ହୋଇପାରେ, ତାର ଏକ ଜ୍ୱଳନ୍ତ ଉଦାହରଣ ଭଦ୍ରକ ଜିଲା ବନ୍ତ ବ୍ଲକରେ ଦେଖିବାକୁ ମିଳିଛି। ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀପ୍ରସାଦ ଜେନା ଝିଅ ଆଗରେ ସ୍ତ୍ରୀ ସୁଦେଷ୍ଣାଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛନ୍ତି। ଏଭଳି ଘଟଣା କେନ୍ଦୁଝର ଜିଲା, ନନ୍ଦିପଦା ଥାନା ଡଅଁର ଗାଁରେ ଘଟିଛି।
ସୂଚନା ଅନୁଯାୟୀ, ବିବାହ ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଥିବାବେଳେ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ଥିବା ନେଇ ଦେବୀପ୍ରସାଦଙ୍କୁ ତାଙ୍କ ସ୍ତ୍ରୀ ବିଭିନ୍ନ ସମୟରେ ତାଗିଦ କରୁଥିଲେ। କିଛିଦିନ ତଳେ ସୁଦେଷ୍ଣା ତାଙ୍କ ସ୍ବାମୀଙ୍କ ନାମରେ ବନ୍ତ ବ୍ଲକର ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ତିକ୍ତତା କାରଣରୁ ସ୍ତ୍ରୀ କେନ୍ଦୁଝର ଜିଲା, ସୋସୋ ଥାନା ମୌଦା ଗ୍ରାମ ବାପ ଘରେ ରହୁଥିଲେ। ଦେବୀପ୍ରସାଦ ନିଜ ପୁଅ, ଝିଅ ଓ ସ୍ତ୍ରୀଙ୍କୁ ଅନେକ ସମୟରେ ମାରଧର କରିବା ସହ ନିଜ ଘର ଡଅଁର ଗାଁରେ ସେମାନଙ୍କୁ ରହିବାକୁ ଦେଉ ନ ଥିଲେ।
କିଛି ଦିନ ତଳେ ସ୍ତ୍ରୀ ସୁଦେଷ୍ଣା, ଝିଅ ଅର୍ପିତା ଓ ପୁଅ ସତ୍ୟପ୍ରକାଶଙ୍କୁ ନେଇ ଡଅଁର ଗଁାରେ ରହି ଆସୁଥିଲେ। ଗୁରୁବାର ଅପରାହ୍ଣରେ ସ୍ତ୍ରୀ ସୁଦେଷ୍ଣାଙ୍କୁ କଣ ରାନ୍ଧିଛ ବୋଲି ଦେବୀପ୍ରସାଦ ପଚାରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଉତକ୍ଷିପ୍ତ ଦେବୀପ୍ରସାଦ ପାଖରେ ଥିବା କୁରାଢ଼ିରେ ସୁଦେଷ୍ଣାଙ୍କ ବେକକୁ ହାଣି ଫେରାର ହୋଇଯାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁଦେଷ୍ଣା ତଳେ ପଡ଼ିଥିବା ବେଳେ ଝିଅ ଅର୍ପିତା ପଡୋଶୀଙ୍କୁ ଡାକ ପକାଇଥିଲେ। ଗୁରୁତର ଅବସ୍ଥାରେ ସୁଦେଷ୍ଣାଙ୍କୁ ପ୍ରଥମେ ନିକଟସ୍ଥ ସାଳଣିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor