ପାହାଡ ଧସି ଟ୍ରେନ ଟ୍ରାକରେ ପଡିଲା ପଥର, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ବର: ରାୟଗଡ଼ା ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ପାହାଡ ଧସି ଟ୍ରେନ ଟ୍ରାକରେ ପଡିବାରୁ ଟ୍ରାକ ଭାଙ୍ଗିଯାଇଛି। ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ବୁଧବାର ରାତିରୁ ରାୟଗଡା ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି। ରାୟଗଡ଼ା ଜିଲାରେ ୭୫୫.୨ମିମି ବର୍ଷା ରେକର୍ଡ ହୋଇଛି। ଗୁଣପୁରରେ ସର୍ବାଧିକ ୧୬୦.୦ମିମି ବର୍ଷା ହୋଇଥିବା ବେଳେ ରାୟଗଡ଼ାରେ ୮୨.୬ ମିମି ବର୍ଷା ହୋଇଛି। ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ ମନ୍ଦିର ନିକଟରେ ଲଗାଣ ବର୍ଷାରୁ ଭୁସ୍ଖଳନ ହେବାରୁ ପାହାଡ ଧସି ରେଳ ଧାରଣା ଉପରେ ପଥର ପଡିଥିବା ଦେଖିବାକୁ ମିଳିଛି । ବଡ ବଡ ପଥର ରେଳ ଧାରଣା ଉପରେ ପଡିବାରୁ ଦୁଇ ଖଣ୍ଡ ହୋଇଛି ରେଳ ଧାରଣା। ରେଳ ଧାରଣା ଉପରେ ମାଟି ଅତଡା ଜମା ହୋଇଥିବାରୁ ବିଶାଖାପାଟଣା- ରାୟଗଡା ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ଏହି ସୂଚନା ପାଇ ରାୟଗଡା ଡିଆରଏମ ଅମିତାଭ୍ ସିଂଘଲଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି। ବ୍ୟସ୍ତ ବହୁଳ ରେଳ ଲାଇନରେ ଗୋଟିଏ ଲାଇନରେ ଟ୍ରେନ ଚଳାଚଳ କରିବାକୁ ରେଳବାଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ସେହିପରି ପ୍ରବଳ ବର୍ଷାରେ ରେଳ ଧାରଣା ବୁଡ଼ିଯିବାରୁ ରାୟଗଡା-କୋରାପୁଟ ମଧ୍ୟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାୟଗଡ଼ା ରେଳ ଡିଭିଜନ ଅନ୍ତର୍ଗତ ଲିଲିଗୁମା, ଭାଲୁମସ୍କା ନିକଟରେ ରେଳ ଧାରଣା ଉପରେ ପାଣି ଜମି ରହିଥିବାରୁ କେଆର ଲାଇନରେ ଟ୍ରେନ ଚଳାଚଳ ବନ୍ଦ ରହିଛି। ହାୱଡା-ଜଗଦଲପୁର ସମଲେଶ୍ଵରୀ ଏକ୍ସପ୍ରେସ କେଉଟଗୁଡା ନିକଟରେ ଅଟକି ରହିଛି । ସେଭଳି ରାଉରକେଲା ଇଣ୍ଟରସିଟି ଓ ହୀରାଖଣ୍ଡ ଏକ୍ସପ୍ରେସ ବିଭିନ୍ନ ଷ୍ଟେସନରେ ଅଟକି ରହିଛି। ଫଳରେ ରେଳ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
Powered by Froala Editor