ଫୁଲୁଛି ଜଳ ଭଣ୍ଡାର, ହୀରାକୁଦ ଖୋଲିଲା ୨୪ଟି ଫାଟକ
ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ମହାନଦୀ ଉପର ମୁଣ୍ଡରେ ବର୍ଷା ହୋଇଛି। ଛତିଶଗଡ଼ ଏବଂ ମଧ୍ୟପ୍ରବେଶ ଆଡୁ ବନ୍ୟାପାଣି ମାଡ଼ି ଆସୁଛି। ଫଳସ୍ବରୂପ ହୀରାକୁଦ ଜଳ ଭଣ୍ଡାରକୁ ଅଧିକ ଜଳ ପ୍ରବାହ କରୁଛି। ଜଳ ଭଣ୍ଡାର ଫୁଲୁଛି। ହୀରାକୁଦ ଜଳ ଭଣ୍ଡାରର ୨୪ଟି ଫାଟକ ଖୋଲିଛି। ମହାନଦୀରେ ଜଳସ୍ତର ବଢ଼ୁଛି। ଦୁଇଦିନ ପରେ ମୁଣ୍ଡଳିରେ ବନ୍ୟାଜଳ ପ୍ରାୟ ୫ଲକ୍ଷ କ୍ୟୁସେକ୍ ଛୁଇଁବ; କିନ୍ତୁ ମହାନଦୀରେ ବନ୍ୟା ଆସିବ ନାହିଁ। ମୁଣ୍ଡଳିରେ ୫ଲକ୍ଷ କ୍ୟୁସେକ୍ ଜଳ ଛୁଇଁଲେ ବନ୍ୟା ଆସେନାହିଁ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି। ଉପରମୁଣ୍ଡରେ ପ୍ରବଳ ବର୍ଷା ପରିପ୍ରେକ୍ଷୀରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପରିଲକ୍ଷିତ ହୋଇଛି। ଆଜି ରାତି ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୬.୫୬ ଫୁଟ ରେକର୍ଡ଼ କରାଯାଇଛି। ସୂଚିତ ଯେ, ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ। ସେହିପରି ଛତିଶଗଡ଼ କଲମା ବ୍ୟାରେଜର ଗେଟ୍ ଖୋଲାଯାଇଥିବା ଜଣାପଡିଛି। ତେଣୁ ପୂର୍ଣ୍ଣଗର୍ଭା ମୁହାଁ ହେଉଥିବା ହୀରାକୁଦ ଜଳଭଣ୍ଡାରରେ ଆଜି ଦିନ ପ୍ରାୟ ୨ଟାବେଳେ ଅତିରିକ୍ତ ୪ଟି ଗେଟ୍ ସହ ମୋଟ୍ ୨୪ଟି (ବାମ ପାର୍ଶ୍ବର ୧୬ ଓ ଡାହାଣ ପାର୍ଶ୍ବର ୮ଟି) ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି।
Powered by Froala Editor