ପତିତପାବନ ବାନାରେ ବସିଲା ଚିଲ
ଶ୍ରୀମନ୍ଦିର ନୀଳଚକ୍ର ଉପରେ ଏକ ଚିଲ କିଛି ସମୟ ଧରି ବସିଥିବା ମଙ୍ଗଳବାର ଦେଖିବାକୁ ମିଳିଥିଲା। ଏହି ଘଟଣା ଘଟିବା ସମୟରେ ସେଠାରେ ଉପସ୍ଥିତ ଥିବା କିଛି ଭକ୍ତ ଏହାର ଫଟୋ ଉଠାଇଥିଲେ। ଯଦିଓ ଶ୍ରୀମନ୍ଦିର ସହିତ ଜଡିତ ଏପରି କିଛି ଘଟଣାକୁ ପୁରା ଓଡ଼ିଶାରେ ଅଶୁଭ ବୋଲି ବିବେଚନା କରାଯାଏ, ତଥାପି ପ୍ରଭୁ ଜଗନ୍ନାଥଙ୍କ କିଛି ଭକ୍ତ ମତ ଦେଇଛନ୍ତି ଯେ ଏହା ପ୍ରଭୁଙ୍କ ଦ୍ୱାରା ଏକ ସୂଚନା ଥିଲା ଯେ ସେ ସୁରକ୍ଷା ପାଇଁ ସେଠାରେ ଅଛନ୍ତି।
ମଧ୍ୟାହ୍ନରେ ଏକ ଚିଲ ଶ୍ରୀମନ୍ଦିର ଉପରେ ଉଡ଼ୁଥିଲା। କିଛି ସମୟ ବୁଲିବା ପରେ ଚିଲଟି ପତିତପାବନ ବାନା ଉପରେ ବସିଥିଲା। ପ୍ରାୟ ୫ ମିନିଟ ଧରି ବସିବା ପରେ ପୁଣି ଉଡ଼ିଯାଇଥିଲା। ତେବେ ପତିତପାବନ ବାନା ଉପରେ ଚିଲ ବସିବା ଶୁଭ କି ଅଶୁଭ ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। କେତେଜଣ ସେବାୟତ ଏହାକୁ ମହାପ୍ରଭୁଙ୍କ ବଡ଼ ସଂକେତ ବୋଲି କହିଛନ୍ତି। ଚିଲ ପତିତପାବନ ବାନା ଉପରେ ବସିଲେ ଦେଶରେ ବିପର୍ଯ୍ୟୟ ଘଟିଥାଏ। ଭୂମିକମ୍ପ, ଭୂସ୍ଖଳନ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସହ ଖାଦ୍ୟାଭାବ, ଗୃହଯୁଦ୍ଧ ବୃଦ୍ଧି ପାଇଥାଏ ବୋଲି ସେମାନେ କହିଛନ୍ତି।
ଆସନ୍ତା ୭ତାରିଖରେ ଚନ୍ଦ୍ରଗ୍ରହଣ ପଡୁଥିବାବେଳେ ତା’ର କିଛିଦିନ ପୂର୍ବରୁ ପତିତପାବନ ବାନା ଉପରେ ଚିଲ ବସିବା ଯୋଗୁ ଆଗକୁ କିଛି ଅଶୁଭ ସଙ୍କେତ ଦେଖାଯାଇପାରେ ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ଏହା ଏକ ସାଧାରଣ କଥା ବୋଲି ଅନେକ ବ୍ୟକ୍ତବିଶେଷ ମତ ଦେଇଛନ୍ତି।
ସୂଚନାଯୋଗ୍ୟ, ଏପରି ଘଟଣା ପ୍ରଥମ ନୁହେଁ। ଚଳିତ ବର୍ଷ ଏପ୍ରିଲ ମାସରେ ଜଗନ୍ନାଥ ମନ୍ଦିରର ପତିତପାବନ ବାନା ଉପରେ ଏକ ଚିଲ ଉଡ଼ୁଥିବାର ଦେଖିବାକୁ ମିଳିଥିଲା। ରିପୋର୍ଟ ଅନୁଯାୟୀ, ସେତେବେଳେ ଭିଡିଓଟି ଭାଇରାଲ ହୋଇଥିଲା।
Powered by Froala Editor