ମଧୁମେହ କେବଳ ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରେ ନାହିଁ ବରଂ ପରିବାର, ଗୋଷ୍ଠୀ ଏବଂ ଅର୍ଥନୀତିକୁ ପ୍ରଭାବିତ କରିଥାଏ: ରାଜ୍ୟପାଳ

କଟକ: ସାମ୍ପ୍ରତିକ ସମୟରେ ମଧୁମେହ ରୋଗ ଏକ ଗମ୍ଭୀର ଜନସ୍ବାସ୍ଥ୍ୟ ଆହ୍ୱାନ ଭାବେ ଉଭା ହୋଇଛି। ଏହା ଧୀରେ ଧୀରେ ବୃଦ୍ଧି ପାଉଥିବାବେଳେ ସମାଜର ସବୁବର୍ଗର ଲୋକ ଏହି ରୋଗରେ ଆକ୍ରାନ୍ତ ହେଲେଣି। ଏହାର ମୁକାବିଲା ପାଇଁ ସଚେତନତାର ଆବଶ୍ୟକତା ରହିଛି। ସମାଜର ସମସ୍ତ ବର୍ଗର ଜନସାଧାରଣ ସୁସ୍ଥ ଜୀବନଶୈଳୀ ଆପଣେଇ ସ୍ବାସ୍ଥ୍ୟ ସଚେତନତା ସଂସ୍କୃତି ସୃଷ୍ଟି ପାଇଁ ସାମୂହିକ ଭାବେ କାର୍ଯ୍ୟ କରିବା ଦରକାର। ମଧୁମେହ ଏବେ ଏକ ନିରବ ମହାମାରୀରେ ପରିଣତ ହୋଇଛି ବୋଲି ରାଜ୍ୟପାଳ ଡ.ହରିବାବୁ କମ୍ଭମ୍ପାଟି କହିଛନ୍ତି।
ଏସସିବି ମେଡ଼ିକାଲ ଓ କଲେଜର ସେଣ୍ଟ୍ରାଲ ଅଡିଟୋରିୟମରେ ରିସର୍ଚ୍ଚ ସୋସାଇଟି ଫର ଦି ଷ୍ଟଡି ଅଫ ଡାଇବେଟିସ୍ ଇନ ଇଣ୍ଡିଆ (ଆରଏସଏସଡିଆଇ) ଓଡ଼ିଶା ଚାପ୍ଟରର ୧୩ତମ ବାର୍ଷିକ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଡ. କମ୍ଭମପାଟି କହିଛନ୍ତି ଯେ, ମଧୁମେହ କେବଳ ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରେ ନାହିଁ ବରଂ ପରିବାର, ଗୋଷ୍ଠୀ ଏବଂ ଅର୍ଥନୀତିକୁ ପ୍ରଭାବିତ କରିଥାଏ। ଏ ଦିଗରେ ସ୍ବାସ୍ଥ୍ୟ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ବିଦ୍ୟାଳୟ, ମହାବିଦ୍ୟାଳୟ, କର୍ମକ୍ଷେତ୍ର, ନାଗରିକ ସମାଜ ଏବଂ ଗଣମାଧ୍ୟମ ଆଗେଇ ଆସିବାକୁ ରାଜ୍ୟପାଳ ଆହ୍ୱାନ ଦେଇଥିଲେ।
ହାଇଦରାବାଦ ଆପୋଲୋ ହସ୍ପିଟାଲର ବରିଷ୍ଠ ପରାମର୍ଶଦାତା ଡା. ସିଏଚ ବସନ୍ତ କୁମାର, ଆରଏସଏସଡିଆଇ ଓଡ଼ିଶାର ପୃଷ୍ଠପୋଷକ ପ୍ରଫେସର ଡା.ସିଦ୍ଧାର୍ଥ ଦାଶ, ଆରଏସଏସଡିଆଇ ଓଡ଼ିଶାର ଚେୟାରମ୍ୟାନ ଡ.ରମେଶ କୁମାର ଗୋଏଙ୍କା ଏବଂ ସମ୍ପାଦକ ଡା.ସୁରେଶ କୁମାର ବଂଶଲ ଯୋଗଦେଇ ମଧୁମେହ ରୋଗର ନିରାକରଣ ଉପରେ ମତ ରଖିଥିଲେ। ଅନୁଷ୍ଠାନର ସାଂଗଠନିକ ଚେୟାରମ୍ୟାନ ପ୍ରଫେସର ଡା.ଜୟନ୍ତ କୁମାର ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାଂଗଠନିକ ସମ୍ପାଦକ ଡା.ଦେବାର୍ଚ୍ଚନ ଜେନା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଜୀବନବ୍ୟାପୀ କୃତିତ୍ବ ପାଇଁ ପ୍ରଫେସର ଡା. ସିଦ୍ଧାର୍ଥ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
Powered by Froala Editor