ଓଡ଼ିଶାର ଆଦିବାସୀ ଝିଅ ଉଡ଼ାଇବେ ବିମାନ

ଭୁବନେଶ୍ୱର :ରାଜ୍ୟରେ ବିମାନ ଉଡାଣ ଭିତ୍ତିଭୂମିକୁ ସୁଦୃଢ କରିବା ସହ ଏ କ୍ଷେତ୍ରରେ ଯୁବଗୋଷ୍ଠୀଙ୍କୁ କର୍ମ ନିଯୁକ୍ତି ଯୋଗାଇଦେବା ଉଦେଶ୍ୟରେ ସରକାର ଗୁରୁତ୍ବ ଦେଉଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସୋମବାର ଭୁବନେଶ୍ବରରେ ଆୟୋଜିତ ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରିସ୍ତରୀୟ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଆଦିବାସୀ ଝିଅ ବିମାନ ଉଡ଼ାଇବେ। ସେମାନଙ୍କୁ ପାଇଲଟ ପ୍ରଶିକ୍ଷଣ ପ୍ରଦାନ ପାଇଁ ସରକାର ଖୁବ୍ଶୀଘ୍ର କ୍ୟାଡେଟ ପାଇଲଟ୍ ପ୍ରୋଗ୍ରାମ ଆରମ୍ଭ କରିବେ। ବିଲ୍ଡିଂ ଆଣ୍ଡ ମ୍ୟାନେଜମେଣ୍ଟ ଅଫ୍ ଏଭିଏସନ୍ ଆସେଟସ୍ ଆଣ୍ଡ ନେଟୱର୍କ (ବିମାନ) ଯୋଜନା ଅଧୀନରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା ହେବ। ସରକାର ବିମାନ ଚଳାଚଳ ବିମାନ ଉଡ଼ାଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ବ ଦେଉଛନ୍ତି। ସେ କହିଛନ୍ତି, ଆମର ଆଦିବାସୀ ବାଳିକାଙ୍କୁ ପାଇଲଟ ହୋଇ ନିଜ ସ୍ବପ୍ନ ସାକାର କରିବା ପାଇଁ ସୁଯୋଗ ମିଳିବ। ବିମାନ ଚଳାଚଳ କ୍ଷେତ୍ର କେବଳ ବିମାନବନ୍ଦର ଓ ବିମାନସେବା ପର୍ଯ୍ୟନ୍ତ ସୀମିତ ନୁହେଁ, ଏହା ଆମ ଲୋକଙ୍କ ସ୍ୱପ୍ନକୁ ସୁଯୋଗ ସହିତ ଯୋଡ଼ିବା, ଆମର ଅର୍ଥନୀତିକୁ ସଶକ୍ତ କରିବା ଓ ବିକଶିତ ଭାରତ-୨୦୪୭ର ସ୍ୱପ୍ନକୁ ସାକାର କରିବାର ଏକ ଅନନ୍ୟ ପ୍ରୟାସ।
ମୁଖ୍ୟମନ୍ତ୍ରୀ କହିଥିଲେ, ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ରକ୍ଷାଣବେକ୍ଷଣ, ମରାମତି, ପୁନର୍ନିର୍ମାଣ କେନ୍ଦ୍ର ସ୍ଥାପନ କରାଯାଉଛି। ଯେଉଁ ଜିଲାରେ ବିମାନବନ୍ଦର ନାହିଁ, ସେଠାରେ ସମୁଦାୟ ୧୫ଟି ହେଲିପୋର୍ଟ ସ୍ଥାପନ ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ପୁରୀରେ ଏକ ବିଶ୍ୱସ୍ତରୀୟ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ହେଉଛି। ଝାରସୁଗୁଡ଼ା ବିମାନବନ୍ଦରର ବିସ୍ତାର ପାଇଁ ଜମି ବ୍ୟବସ୍ଥା କରାଯାଇଛି। ବିଗତ ୧୪ ମାସ ମଧ୍ୟରେ ଓଡ଼ିଶାର ବିମାନବନ୍ଦରଗୁଡ଼ିକୁ ୧୫ଟି ନୂଆ ଗନ୍ତବ୍ୟ ସହିତ ଯୋଡ଼ାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଅବସରରେ କେନ୍ଦ୍ର ବେସାମରିକ ବିମାନ ପରିବହନ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମେହାଲ, ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଛତିଶଗଡ଼ ଅର୍ଥମନ୍ତ୍ରୀ ଓମ୍ପ୍ରକାଶ ଚୌଧୁରୀ ପ୍ରମୁଖ ଅଭିଭାଷଣ ରଖିଥିଲେ।
Powered by Froala Editor