୧୧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ଜିଲା ଶିକ୍ଷାଧିକାରୀ

ଭୁବନେଶ୍ବର : ବଲାଙ୍ଗିର ଜିଲାର ୧୧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜୁଲାଇ ମାସର ଦରମା ବନ୍ଦ କରିବାକୁ ଜିଲା ଶିକ୍ଷା ଅଧିକାରୀ ନିର୍ଦେଶ ଦେଇଛନ୍ତି। ଜିଲାରେ ‘ଏକ୍ ପେଡ୍ ମା’ କେ ନାମ୍’ କାର୍ଯ୍ୟକ୍ରମ ତ୍ବରାନ୍ବିତ ହେଉନାହିଁ। ବାରମ୍ବାର ନିର୍ଦେଶ ସତ୍ତ୍ବେ ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ କାର୍ଯ୍ୟକ୍ରମ ତଦାରଖ କରୁ ନଥିବାରୁ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଆଗଲପୁର ବିଇଓ(ଲୋଇସିଂହା ଅତିରିକ୍ତ ଦାୟିତ୍ବ) ଶ୍ୟାମ ମେହେର, ସଇଁନ୍ତଲା ବିଇଓ(ବଲାଙ୍ଗିର ଅତିରିକ୍ତ ଦାୟିତ୍ବ) ଦିଲୀପ ଯୋଶୀ, ଟିଟିଲାଗଡ଼ ବିଇଓ ଆର୍ତ୍ତତ୍ରାଣ ରଥ, ଦେଓଗାଁ ବିଇଓ ମମତା ମାହାଡ଼ିକ, ଗୁଡ଼ଭେଲା ବିଇଓ ନମିତାରାଣୀ ଭୋଇ, ବଙ୍ଗୋମୁଣ୍ଡା ବିଇଓ ବୈକୁଣ୍ଠ ଶବର, ମୁରିବାହାଲ ବିଇଓ ଶାନ୍ତନୁ ପଢ଼ିହାରୀ, ତୁରେକେଲା ବିଇଓ ଗୌତମ ପଟେଲ, ବେଲପଡ଼ା ବିଇଓ (ଖପ୍ରାଖୋଲ ଅତିରିକ୍ତ ଦାୟିତ୍ବ) ଅଭିନବ ମିଶ୍ର, ପାଟଣାଗଡ଼ ବିଇଓ ଶଙ୍କର ପ୍ରସାଦ ମାଝୀ ଓ ପୁଇଁନ୍ତଲା ବିଇଓ ରତ୍ନମୟ ପୁରୋହିତଙ୍କ ଦରମା ବନ୍ଦ ପାଇଁ ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ନିର୍ଦେଶ ଦେଇଛନ୍ତି। ଏହି ଅଧିକାରୀଙ୍କ ଜୁଲାଇ ମାସର ଦରମା ବନ୍ଦ କରାଯାଇଛି । କାର୍ଯ୍ୟକ୍ରମରେ ଶତ ପ୍ରତିଶତ ସଫଳତା ହାସଲ ପରେ ଦରମା ପ୍ରଦାନ କରାଯିବାକୁ ନିର୍ଦେଶରେ ଉଲ୍ଲେଖ ରହିଛି।
Powered by Froala Editor