ବଳଙ୍ଗା ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି, ହୋଇଛି ୩ୟ ଅସ୍ତ୍ରୋପଚାର
ବଳଙ୍ଗା: ପୁରୀ ଜିଲା ବଳଙ୍ଗା ବର୍ବରତାର ଶିକାର ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ଚିକିତ୍ସାକୁ ତ୍ବରାନ୍ବିତ କରିଛି ଦିଲ୍ଲୀ ଏମ୍ସର ସ୍ବତନ୍ତ୍ର ଡାକ୍ତରୀଦଳ। ପୀଡ଼ିତାଙ୍କ ୩ୟ ଅସ୍ତ୍ରୋପଚାର କରାଯାଇଛି। ତାଙ୍କ ଚିକିତ୍ସା ନିମନ୍ତେ ଆମେରିକାରୁ ଔଷଧ ଅଣାଯାଇଛି। ଅନ୍ଲାଇନ୍ ସଂସ୍ଥା ମାଧ୍ୟମରେ ୯ ଲକ୍ଷ ଟଙ୍କାର ଔଷଧ ଆସିଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।
ଡାକ୍ତରୀ ଦଳଙ୍କ ଅନୁମତି ନେଇ ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କ ପୁଣି ବୟାନ ରେକର୍ଡ କରାଯିବ। ଘଟଣାର ତଦନ୍ତ ଭାର ନେଇଥିବା ପୁରୀ ଏସ୍ଡିପିଓ (ମୁଖ୍ୟାଳୟ) ଓ ବଳଙ୍ଗା ଥାନା ଅଧିକାରୀ, ପୀଡ଼ିତାଙ୍କ ବୟାନ ରେକର୍ଡ କରିପାରନ୍ତି। ଏହି ସମୟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିବାର ସମ୍ପୂର୍ଣ୍ଣ ଭିଡିଓ କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କ ବୟାନ ନେଇ କ୍ରାଇମବ୍ରାଞ୍ଚ ଦଳ ଓ ବଳଙ୍ଗା ଥାନାର ମହିଳା ଏସ୍ଆଇ ଫେରି ଆସିଛନ୍ତି।
ସେହିପରି ପୀଡ଼ିତାଙ୍କ ଘରକୁ ଜଗି ରହୁଛନ୍ତି ସୁରକ୍ଷାକର୍ମୀ। ଏଥିସହ ଦିଲ୍ଲୀେର ଚିକିତ୍ସିତ ହେଉଥିବା ପୀଡ଼ିତାଙ୍କ ନିକଟରେ ତାଙ୍କ ବାପା ଓ ପିଉସୀ ରହିଛନ୍ତି। ସେମାନଙ୍କୁ ୩୦ ମିନିଟ୍ରୁ ଅଧିକ ସମୟ ଧରି ପଚରାଉଚରା କରିଛି ତଦନ୍ତକାରୀ। ସେମାନେ ପୂର୍ବରୁ ଦେଇଥିବା ବୟାନ ଓ ଏବେ ଦେଇଥିବା ବୟାନକୁ ମେଳ କରୁଛି ପୁଲିସ। ସେପରି କ୍ରାଇମ୍ବ୍ରାଞ୍ଚ ଓ ବଳଙ୍ଗା ଥାନାର ୧୫ଜଣିଆ ଦଳ ତନାଘନା ଜାରି ରଖିବା ସହ ଏକାଧିକ ବ୍ୟକ୍ତିଙ୍କୁ ପଚରାଉରା କରୁଛନ୍ତି। ଜଟଣୀରେ ଗୋଟିଏ ଦଳ ଡେରା ପକାଇବା ସହ ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର ରଖିଛି।
ତଦନ୍ତରେ ନୂଆ ପ୍ରମାଣ ଯୋଡ଼ି ହେବା ସହ ସମସ୍ତେ ବୟାନ ବଦଳାଉଥିବାରୁ ତଦନ୍ତ ସରୁନି। ସେପଟେ ତଦନ୍ତକୁ ନେଇ ବରିଷ୍ଠ ପୁଲିସ ଅଧିକାରୀ ଅସନ୍ତୁଷ୍ଟ ହୋଇଥିବାବେଳେ ସବୁଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି ତଦନ୍ତକାରୀ ଅଧିକାରୀ ସଫେଇ ଦେଇଛନ୍ତି।
Powered by Froala Editor