ଘରୋଇ କଳିରୁ ନିଜକୁ ଜାଳିଦେଲେ ଯୁବକ
ଘରୋଇ କଳହ ଯୋଗୁଁ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଛନ୍ତି ଯୁବକ । ସୋମବାର ଭୋର୍ରୁ ଅନୁଗୁଳ ସହର ଉପକଣ୍ଠ ଗୀତାଗ୍ରାମରେ ଏହି ଅଘଟଣ ଘଟିଛି । ମୃତ ଯୁବକ ହେଲେ ସରୋଜ ସାହୁ(୩୮) । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ବନ୍ଦ ଘରୁ କବାଟ ତାଡ଼ି ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଛି ।
ସୂଚନା ଅନୁଯାୟୀ, ସରୋଜଙ୍କ ଘର କୋରାପୁଟ ଜିଲ୍ଲା ଜୟପୁରରେ ହୋଇଥିବା ବେଳେ ସେ ପରିବାର ସହ ଗୀତାଗ୍ରାମ କାଳୀ ମନ୍ଦିର ନିକଟରେ ଘରଭଡ଼ା ନେଇ ରହୁଥିଲେ । ରବିବାର ସରୋଜ ଓ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ରାତି ପ୍ରାୟ ୩ଟା ବେଳକୁ ସରୋଜ ପତ୍ନୀ ଓ ଘରେ ରହୁଥିବା ଜଣେ ସମ୍ପର୍କୀୟଙ୍କୁ ପିଟାମରା କରିଥିଲେ । ସେମାନଙ୍କୁ ଘରୁ ବାହାର କରିଦେଇ ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ ।
ଏନେଇ ତାଙ୍କ ପତ୍ନୀ ପୁଲିସ୍କୁ ଫୋନ୍ କରିଥିଲେ । ତେବେ କଳହ ଯୋଗୁଁ ସେ ଜୀବନ ନେଇଯିବେ ତାହା କାହାକୁ ଜଣାନଥିଲା । ଭୋର୍ରୁ ସେ ରହୁଥିବା ଆଜବେଷ୍ଟସ୍ ଘର ଭିତରୁ ନିଆଁ ଦେଖିବାକୁ ମିଳିଥିଲା । ପ୍ରବଳ ଧୂଆଁ ହେବା ସହିତ ଘର ଭିତରେ ହୁତୁ ହୁତୁ ହୋଇ ନିଆଁ ଜଳିଥିଲା । ସରୋଜ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ଜୀବନ ବିକଳରେ ଗାଧୁଆ ଘରଆଡେ ଦୌଡିଥିଲେ । ଯେଉଁଥିପାଇଁ ତାଙ୍କର ଆଜବେଷ୍ଟସ ଘର ଜଳି ଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ଭିତର ପଟୁ ଗ୍ରୀଲ୍କୁ ତାଡ଼ିବା ପରେ ଭିତରେ ପଶି ଗାଧୁଆଘର ଭିତରୁ ସରୋଜଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା ।
Powered by Froala Editor