ଛାତ୍ରଙ୍କୁ ଅପହରଣ କରି ବୁଦା ମୂଳେ ପିଙ୍ଗିଦେଲେ
ରାମଚନ୍ଦ୍ରପୁର,୨୮ ।୭(ଆପ୍ର): ଜଣେ ସପ୍ତମ ଶ୍ରେଣୀର ନାବାଳକକୁ ନିଶା ଦେଇ ଅପହରଣ କରିବା ପରେ ତାର ହାତ ଗୋଡ ବାନ୍ଧି ବୁଦାମୂଳରୁ ଫିଙ୍ଗି ଦେଲେ ଦୁର୍ବୃତ୍ତ । ବୁଦା ମୁଳରୂ ନାବାଳକ କୌଶଳ କ୍ରମେ ଖସି ଆସିବା ପରେ ପରେ ତାଙ୍କ ବାପା ଏନେଇ ଲିଖିତ ଅଭିଯୋଗ କରିଛନ୍ତି ।
କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ନୂଆଗାଁରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ନୂଆଗଁର କ୍ଷୀରୋଦ ବେହେରାଙ୍କ ସସ୍ତମ ଶ୍ରେଣୀ ପଢୁଥିବା ନାବାଳକ ପୁଅ ରବିବାର ଅପରାହ୍ନରେ ଗାଁ ରାସ୍ତାରେ ଯାଉଥିବା ସମୟରେ ଦୁଇ ଜଣ ଯୁବକ ବାଇକ୍ରେ ଆସି ଏନଏଚ୍କୁ ବାଟ କୁଆଡେ ପଚାରିଥିଲେ ।
କିନ୍ତୁ ନାବାଳକର ମୁହଁରେ ହଠାତ ଏକ ସ୍ପ୍ରେ ମାରି ବାଇକ୍ରେ ବସାଇ ୨୦ ନମ୍ବର ଜାତୀୟ ରାଜପଥ ଦେଇ ଯାଜପୁର ଆଡକୁ ଦ୍ରୁତ ଗତିରେ ପଳାଇ ଯାଇଥିଲେ । ହେଲେ ଧରାପଡିଯିବା ଆଶଙ୍କା କରି ଯାଜପୁର ଜିଲ୍ଲା କୋରେଇ ଥାନା କଣ୍ଟାଝରୀ ଗାଁ ନିକଟ ରାସ୍ତାକଡ ବୁଦା ମୂଳରେ ହାତଗୋଡ ବାନ୍ଧି ଫିଙ୍ଗି ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।
ନିଶା ଛାଡିଯିବା ପରେ ନାବାଳକ ଜଣକ ସ୍ଥାନୀୟ ଏକ ଢାବା କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ସେଠାରୁ ନାବାଳକ ପରିବାର ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା । ପରିବାର ଲୋକ ପହଞ୍ଚି ପୁଅକୁ ଉଦ୍ଧାର କରି ଆଣି ରାମଚନ୍ଦ୍ରପୁର ଥାନାରେ ଘଟଣା ସମ୍ପର୍କରେ ଲିଖିତ ଏତଲା ଦାଏର କରିଛନ୍ତି ।
ପୁଲିସ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ କରୁଛି । ଦୁଇ ଯୁବକ କିଏ ଓ ସେମାନଙ୍କ ଉଦ୍ଦେଶ୍ୟ କ’ଣ ଥିଲା କିଛି ଜଣାପଡିନାହିଁ ।
Powered by Froala Editor