ବାବଟଣା କଲା ଗୁଗୁଲ୍, ନଦୀକୁ ଖସିଲା କାର୍

ପୁଣି ବାବଟଣା କଲା ଗୁଗୁଲ୍ ମ୍ୟାପ୍ । ଶୁକ୍ରବାର ମଧ୍ୟରାତ୍ରିରେ ନଭି ମୁମ୍ବାଇର ବେଲାପୁର ଅଞ୍ଚଳରେ ଜଣେ ମହିଳାଙ୍କ କାର୍ ସିଧା ନଦୀକୁ ଖସି ପଡ଼ିଥିଲା। ମହିଳା ଜଣକ ଗୁଗୁଲ୍ ମ୍ୟାପ୍ ଉପରେ ନିର୍ଭର କରି ଗାଡ଼ି ଚଳାଉଥିଲେ। ସୌଭାଗ୍ୟବଶତଃ, ସେଠାରେ ଉପସ୍ଥିତ ସାମୁଦ୍ରିକ ସୁରକ୍ଷା ପୁଲିସ ସତର୍କତା ପ୍ରଦର୍ଶନ କରିଥିଲେ ଏବଂ ମହିଳାଙ୍କ ଜୀବନ ବଞ୍ଚିପାରିଥିଲା। ପରେ, କ୍ରେନ୍ ସାହାଯ୍ୟରେ କାରଟିକୁ ନଦୀରୁ ବାହାର କରାଯାଇଥିଲା।
ସୂଚନା ଅନୁସାରେ, ମହିଳା ଜଣକ କାରରେ ଗୁଗୁଲ ମ୍ୟାପ୍ ଦେଖି ବେଲାପୁର ବେଳଭୂମି ଉପରେ ଏକ ପୋଲ ଉପରେ ଯାଉଥିବାବେଳେ ହଠାତ୍ ସେଠୁ ଆଉ ରାସ୍ତା ନଥିଲା, ଫଳରେ ଗାଡ଼ିଟି ସିଧା ତଳକୁ ଖସି ପଡ଼ିଥିଲା। ମହିଳା ଜଣଙ୍କୁ ଉଦ୍ଧାର କରାଯିବା ସହ ପରେ ଗାଡ଼ିଟିକୁ ମଧ୍ୟ କ୍ରେନ ଲଗାଇ ଉଠାଯାଇଛି।
ଏହା ପୂର୍ବରୁ ମଧ୍ୟ ଗୁଗଲ ମ୍ୟାପ୍ର ସାହାଯ୍ୟ ନେଇ ଅନେକ ଲୋକ ଦୁର୍ଘଟଣାର ଶିକାର ହୋଇଛନ୍ତି ଏବଂ ମୃତ୍ୟୁବରଣ କରିଛନ୍ତି। ୪ ଏପ୍ରିଲ ୨୦୨୫ରେ, ୟୁପିର ମୁରାଦାବାଦରେ, ଏକ କାରରେ ଯାତ୍ରା କରୁଥିବା ଚାରି ଜଣ ଲୋକ ଗୁଗୁଲ୍ ମ୍ୟାପ୍ ସାହାଯ୍ୟରେ ଦିଗନିର୍ଦ୍ଦେଶ ଖୋଜିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଘଟଣାରେ ଦୁଇ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।
Powered by Froala Editor