ସରଳ ଜୀବନ ଓ ଶାନ୍ତି ହିଁ ସବୁଠାରୁ ବଡ଼ କଥା: ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭାବେ ଦ୍ରୌପଦା ମୁର୍ମୁ ଶପଥ ଗ୍ରହଣ କରିବା ପରେ ସଜ୍ଜନମଣ୍ଡଳୀଙ୍କ ଉପସ୍ଥିତିରେ ଜାତି ଉଦ୍ଦେଶ୍ୟରେ ଯେଉଁ ଉଦବୋଧନ ଦେଇଥିଲେ, ତାହା ଥିଲା ସମସ୍ତଙ୍କ ପାଇଁ ବେଶ ପ୍ରେରଣାଦାୟୀ। ସେ କହିଥିଲେ ଯେ ଏକ ଅଜଣା ଗାଁର ସାଧାରଣ ଆଦିବାସୀ ଘରର ଝିଅ ଆଜି ଦେଶର ସର୍ବୋଚ୍ଚ ପଦରେ ଆସୀନ ହୋଇପାରିଛି। ଏହା ପ୍ରମାଣିତ କରୁଛି ଯେ ଗରିବ ଲୋକ ସ୍ୱପ୍ନ ଦେଖିପାରିବ, ଏହାକୁ ପୂରା ବି କରିପାରିବ। ଏଥି ପାଇଁ ଦେଶର ଗଣତନ୍ତ୍ରର ଶକ୍ତି ବିଷୟରେ ସେ କହିଥିଲେ। ଆସନ୍ତାକାଲି କାରଗିଲ ବିଜୟ ଦିବସ ଅଛି କହି ବୀର ଯବାନଙ୍କୁ ସମ୍ମାନ ଜଣାଇବା ସହ ମୁକ୍ତି ସଂଗ୍ରାମରେ ଆଦିବାସୀ ବୀର ଭଗବାନ ବିର୍ସା ମୁଣ୍ଡାଙ୍କ କଥା ଉଲ୍ଲେଖ କରିଥିଲେ।
ମହାମହିମ ରାଷ୍ଟ୍ରପତି ଭାଷଣରେ କହିଥିଲେ, ତୁମେମାନେ ଭାବୁଥିବ ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋଟା ଅଙ୍କର ଦରମା ପାଉଛି, ବିଳାସରେ ଚଳୁଥିବ। ମୁଁ କହିବାକୁ ଚାହେଁ ଯେ ମୋର ଅତି ସରଳ ଜୀବନ। କେଉଁ ଅଜଣା ଗାଁର ଏକ ଗରିବ ଆଦିବାସୀ ପରିବାରର ଝିଅ ମୁଁ। ବିଳାସ ବ୍ୟସନ ଠାରୁ ବହୁ ଦୂରରେ। ଏ ଜୀବନ ହେଉଛି ପିଆଜ ପରି। ପିଆଜର ଚୋପା ପରେ ଚୋପା ଛଡ଼େଇଚାଲିଲେ ଶେଷରେ ଆଉ କିଛି ରହି ନ ଥାଏ। ସେହିପରି କେଶ ଥିବାବେଳେ ପାନିଆ ମାରିବ। ବୟସ ବଢ଼ିଲେ ଆସ୍ତେ ଆସ୍ତେ କେଶ ଝଡ଼ିଯିବ। ପାନିଆର ଆବଶ୍ୟକତା ପଡ଼ିବନି। ବୟସ ବଢ଼ିଲେ ମଣିଷ କ୍ଷୀଣକାୟ ଓ ଦୁର୍ବଳ ହେବ। ଆଉ ଦାମୀ ଶାଢ଼ି ପିନ୍ଧିବାକୁ ଅଣ୍ଟା ନ ଥିବ। ତେଣୁ ପଇସା ପଛରେ କେହି ପାଗଳ ହେବା ଉଚିତ ନୁହେଁ। ସରଳ ଜୀବନ ଓ ଶାନ୍ତି ହିଁ ସବୁଠାରୁ ବଡ଼ କଥା।
Powered by Froala Editor