ଖୋର୍ଦ୍ଧା ଜିଲ୍ଲାରେ କୁକୁଡ଼ା ମଡ଼କ
ଖୋର୍ଦ୍ଧା: ବାର୍ଡ ଫ୍ଲୁ ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳରୁ ଖୋର୍ଦ୍ଧା ଜିଲାକୁ ବ୍ୟାପିଛି। ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ କୁକୁଡ଼ା ମଡ଼କ ଦେଖାଯାଉଛି। ଜଙ୍କିଆ ଅଞ୍ଚଳରୁ ସଂଗୃହୀତ ନମୁନାରେ ବାର୍ଡ଼ ଫ୍ଲୁ ଭୂତାଣୁ ଥିବା ଜଣାପଡ଼ିବା ପରେ ଗୁରୁବାର ସେଠାରେ ସମୂହ କୁକୁଡ଼ା ନିପାତ ଅଭିଯାନ ଆରମ୍ଭ ହୋଇଛି। ମୁଣ୍ଡାଆମ୍ବରେ ଥିବା ପୁଷ୍ପାଞ୍ଜଳି ରାଉତରାୟଙ୍କ ଫାର୍ମରୁ ଗୁରୁବାର ୪୫୦୭ କୁକୁଡ଼ା ମରାଯାଇଥିବା ଖୋର୍ଦ୍ଧା ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। କୁକୁଡ଼ା ମାରିବାକୁ କନ୍ଧମାଳରୁ ୩ ଓ ଢେଙ୍କାନାଳରୁ ୨ଟି ରାପିଡ୍ ରେସ୍ପନ୍ସ ଟିମ୍ ଆସିଛନ୍ତି। ମୃତ କୁକୁଡ଼ାଙ୍କୁ ଫାର୍ମ ପରିସରରେ ଗାତ ଖୋଳି ପୋତି ଦିଆଯାଇଛି। ଆଜି ମୁଣ୍ଡାଆମ୍ବଠାରୁ ଏକ କିମି ମଧ୍ୟରେ ଥିବା ସମସ୍ତ କୁକୁଡ଼ାଙ୍କୁ ନିପାତ କରାଯିବ। ମୁଣ୍ଡାଆମ୍ବରେ ବାର୍ଡ଼ ଫ୍ଲୁ ଭୂତାଣୁ ଜଣାପଡ଼ିବା ପରେ ଗୁରୁବାର ଜିଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ନିଷ୍ପତ୍ତି ଅନୁଯାୟୀ କୁକୁଡ଼ାମରା ଅଭିଯାନ ଆରମ୍ଭ ହୋଇଛି। ଜିଲାରେ ୧୧୦୦ଟି ଫାର୍ମ ଥିବାରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଯେଉଁଠାରେ ସରକାର କୁକୁଡ଼ା ମାରିବେ ଚାଷୀକୁ ଅନୁକମ୍ପାମୂଳକ ସହାୟତା ଦିଆଯିବ ବୋଲି ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ରବୀନ୍ଦ୍ର ପଟ୍ଟନାୟକ କହିଛନ୍ତି।
Powered by Froala Editor