ବେଙ୍ଗାଲୁରୁ ଷ୍ଟାଡିୟମ ଦଳାଚକଟା ଘଟଣା, ବିରାଟଙ୍କୁ ଦାୟୀ

ଆଇପିଏଲ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିଜୟ ଉତ୍ସବ ସମୟରେ ଦଳାଚକଟା ସମ୍ପର୍କରେ କର୍ନାଟକ ସରକାର ହାଇକୋର୍ଟରେ ବିସ୍ତୃତ ରିପୋର୍ଟ ଦାଖଲ କରିଛନ୍ତି। ଏହି ରିପୋର୍ଟରେ ସରକାର ଦଳାଚକଟା ପାଇଁ ଆରସିବିକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି। କର୍ଣ୍ଣାଟକ ସରକାର କହିଛନ୍ତି ଜୁନ୍ ୪ ତାରିଖରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲର ବିଜୟ ପରେଡ୍ ଆୟୋଜନ ପାଇଁ ପୋଲିସଠାରୁ ପୂର୍ବରୁ କୌଣସି ଅନୁମତି ନିଆଯାଇନଥିଲା।
ଏଥିରେ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇଛି। ରିପୋର୍ଟରେ ଗୁରୁତର ଅବହେଳା ଉଲ୍ଲେଖ କରାଯାଇଛି। ଜୁନ ୪ ତାରିଖରେ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଦଳାଚକଟା ପାଇଁ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ ଆରସିବିକୁ ଦାୟୀ କରିଥିଲେ। ଆରସିବି ହଠାତ୍ ପୋଲିସ ଅନୁମତି ବିନା ସୋସିଆଲ ମିଡିଆରେ ବିଜୟ ପରେଡ ଆୟୋଜନ କରିବାକୁ ଘୋଷଣା କରିଥିଲା, ଯାହା ଯୋଗୁ ଲକ୍ଷ ଲକ୍ଷ ଲୋକ ଷ୍ଟାଡିୟମ ବାହାରେ ଜମା ହୋଇଥିଲେ। ଦଳାଚକଟା ସମୟରେ ୧୧ ଜଣଙ୍କ ଜୀବନ ଯାଇଥିଲା। ଏଥିରେ ୫୦ ରୁ ଅଧିକ ଲୋକ ଆହତ ହୋଇଥିଲେ।
କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଦାଖଲ ରିପୋର୍ଟ ଅନୁଯାୟୀ, ଆରସିବି ଜୁନ୍ ୩ ତାରିଖରେ ପୋଲିସକୁ ଜଣାଇଥିଲା ଯେ ସେମାନେ ପରେଡ୍ କରିପାରିବେ, କିନ୍ତୁ ସେମାନେ ଆନୁଷ୍ଠାନିକ ଭାବରେ ଅନୁମତି ନେଇ ନଥିଲେ। ପୋଲିସକୁ ଆବଶ୍ୟକ ସାତ ଦିନର ନୋଟିସ୍ ମଧ୍ୟ ଦିଆଯାଇ ନଥିଲା, ଯାହା ଦ୍ୱାରା ସେମାନେ ଭିଡ଼ ଆକଳନ କରିପାରିବେ, ଟ୍ରାଫିକ୍ ପରିଚାଳନା କରିପାରିବେ ଏବଂ ଯେକୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିପାରିବେ।
Powered by Froala Editor