ମର୍ଯ୍ୟାଦାଜନକ ‘କଳିଙ୍ଗ ରତ୍ନ’ ସମ୍ମାନ ପାଇବେ ଧର୍ମେନ୍ଦ୍ର ପ୍ରଧାନ
କଟକ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚଳିତବର୍ଷର ମର୍ଯ୍ୟାଦାଜନକ ‘କଳିଙ୍ଗ ରତ୍ନ’ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ସାରଳା ସାହିତ୍ୟ ସଂସଦ ପକ୍ଷରୁ ଏହି ସମ୍ମାନ ଆଗାମୀ ୧୫ ତାରିଖ କଟକର ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମଠାରେ ଆୟୋଜିତ ୪୫ ତମ ବାର୍ଷିକ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବେ ବୋଲି ସଂସଦର ସଭାପତି ଇଂ.ପ୍ରଭାକର ସ୍ବାଇଁ ଓ ସମ୍ପାଦକ ଡା.ନିରଞ୍ଜନ ତ୍ରିପାଠୀ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। ଏହି ସମ୍ମାନ ସ୍ବରୂପ ସରସ୍ବତୀଙ୍କର ରୌପ୍ୟ ପ୍ରତିମା, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟରୁ ନୃତତ୍ତ୍ବରେ କୃତିତ୍ବର ସହିତ ଏମ୍.ଏ. ପାସ କରିଛନ୍ତି। ଜଣେ ଦକ୍ଷ ଛାତ୍ର ନେତା ଭାବରେ ତାଙ୍କର ସୁନାମ ରହିଛି। ମହାବିଦ୍ୟାଳୟ ତଥା ବିଶ୍ବବିଦ୍ୟାଳୟ ରାଜନୀତିର ପ୍ରବହମାନ ମଧ୍ୟରେ ସେ ସଫଳତା ଲାଭ କରିବା ସହିତ ଓଡ଼ିଶା ବିଧାନସଭାର ବିଧାୟକ, ସାଂସଦ ତଥା ଭାରତ ସରକାରଙ୍କ ବହୁବାର ମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ ପଦ ମଣ୍ଡନ କରିଛନ୍ତି। ସେ ଦେଶର ଶିକ୍ଷା, ପେଟ୍ରୋଲିୟମ, ରସାୟନ ଓ ଦକ୍ଷତା ବିକାଶ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ପଦର ଦାୟିତ୍ବ ବହନ କରି ବୈପ୍ଳବିକ ଉନ୍ନତି ସାଧନ କରିଛନ୍ତି। ଦେଶର ଶିକ୍ଷାମନ୍ତ୍ରୀ ଭାବରେ ଜାତୀୟ ଶିକ୍ଷା ନୀତି- ୨୦୨୦ ପ୍ରବର୍ତ୍ତନ କରି ସେ ବେଶ୍ ଲୋକପ୍ରିୟତା ଅର୍ଜନ କରିଛନ୍ତି। ସେ ଜଣେ ଜନସେବୀ ଓ ରାଜନେତା ଭାବରେ ଅନ୍ତର୍ଜାତୀୟ କ୍ଷେତ୍ରରେ ସ୍ବୀକୃତି ଲାଭ କରିଛନ୍ତି। ୧୯୬୯ ଜୁନ ୨୬ରେ ତାଳଚେରଠାରେ ସେ ଜନ୍ମଗ୍ରହଣ କରିଥିଲେ। ପିତା ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନ ଓ ମାତା ବସନ୍ତ ମଞ୍ଜରୀ ପ୍ରଧାନଙ୍କ ସେ କନିଷ୍ଠ ପୁତ୍ର। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଯେକୌଣସି କ୍ଷେତ୍ରରେ ଜାତୀୟ ସ୍ତରରେ ପ୍ରତିଷ୍ଠା ଅର୍ଜନ କରିଥିବା ଜଣେ ଓଡ଼ିଆଙ୍କୁ ସାରଳା ସାହିତ୍ୟ ସଂସଦ ପକ୍ଷରୁ ‘କଳିଙ୍ଗରତ୍ନ’ ସମ୍ମାନ ପ୍ରଦାନ କରାଯାଇଥାଏ।
Powered by Froala Editor