ଜୁଲାଇ ୫ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର; ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ, ବାଂଲାଦେଶ ଉପକୂଳ ଅଞ୍ଚଳରେ ରବିବାର ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା, ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଆଡ଼କୁ ମୁହାଁଇବ। ଅନ୍ୟପଟେ ଉତ୍ତର ଗୁଜରାଟ, ପଶ୍ଚିମବଙ୍ଗ, ବାଂଲାଦେଶ ଉପକୂଳ, ମଧ୍ୟପ୍ରଦେଶ, ଉତ୍ତର ଛତିଶଗଡ଼ ଏବଂ ଉତ୍ତର ଓଡ଼ିଶା ମଧ୍ୟରେ ଏକ ନିମ୍ନଚାପ ରେଖା ସକ୍ରିୟ ରହିଛି। ଏହାର ପ୍ରଭାବରେ ଜୁଲାଇ ୫ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ଉତ୍ତର ଓଡ଼ିଶାରେ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଗତ ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ବର, ସୁବର୍ଣ୍ଣପୁର ଏବଂ କେନ୍ଦୁଝର ଜିଲାର କିଛି ଅଞ୍ଚଳରେ ଅତି ପ୍ରବଳ ବର୍ଷା ହୋଇଛି। ମୟୂରଭଞ୍ଜ ଜିଲାର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇଛି। ଦୁଇଟି ସ୍ଥାନରେ ୨୦ରୁ ୩୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ରେକର୍ଡ ହୋଇଛି। ଗୋଟିଏ ସ୍ଥାନରେ ଅତ୍ୟଧିକ ୩୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇଛି। ମୟୂରଭଞ୍ଜର ଚାନ୍ଦୁଆରେ ସବୁଠୁ ଅଧିକ ୩୨୦ମି.ମି. ବର୍ଷା ହୋଇଥିବା ବେଳେ ଜିଲାର ସୁଳିଆପଡା ୨୫୦, ସାରସକଣା ୨୪୯, ବାଙ୍ଗିରିପୋଷି ୧୯୮, ଉଦଳା ୧୦୭ ଏବଂ କୁସୁମିରେ ୯୬ ମି.ମି. ବର୍ଷା ହୋଇଛି। ବାଲେଶ୍ବର ଜିଲାର ଜଳେଶ୍ବରରେ ୧୪୭ମି.ମି. ବର୍ଷା ହୋଇଥିବା ବେଳେ ଓୗପଦା ୧୧୪, ଖରିଆର ୧୨୨, ସୁବର୍ଣ୍ଣପୁର ୧୧୫.୪, କେନ୍ଦୁଝର ଜିଲାର ହାଟଡିହି ୧୦୫.୨ ମି.ମି. ବର୍ଷା ହୋଇଛି। ଝାଡ଼ଖଣ୍ଡ ଏବଂ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାରେ ଲଗାଣ ବର୍ଷା ହେତୁ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ବନ୍ୟା ପରିସ୍ଥିତି ଦେଖାଦେଇଥିବା ବେଳେ ରବିବାର ରାତିରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ବାଲେଶ୍ବର ଜିଲାକୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ବନ୍ୟା ପରିସ୍ଥିତି ଜଟିଳ ହୋଇପାରେ ବୋଲି କୁହାଯାଉଛି।
ରାଜ୍ୟ ଜଳସମ୍ପଦ ବିଭାଗର ସେଚ଼ ସଦନଠାରେ ଥିବା ବନ୍ୟା ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟିଆ କାର୍ଯ୍ୟ କରୁଛି। ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରଣ ଏବଂ ଆବଶ୍ୟକ ରିଲିଫ୍ କାର୍ଯ୍ୟ ପରିଚାଳନା ପାଇଁ ବାଲେଶ୍ୱର ଜିଲାପାଳଙ୍କୁ ସତର୍କ କରାଯାଇଛି। କ୍ଷେତ୍ରସ୍ତରରେ ସ୍ଥିତି ଅନୁଧ୍ୟାନ ଓ ତଦାରଖ କରିବା ଏବଂ ସମ୍ଭାବ୍ୟ ବନ୍ୟା ସ୍ଥିତି ପରିଚାଳନାରେ ସହାୟତା ପାଇଁ ଜଳସମ୍ପଦ ବିଭାଗର ଜଣେ ସର୍ବୋଚ୍ଚ ଯନ୍ତ୍ରୀ ପାହ୍ୟାର ଯନ୍ତ୍ରୀ ଏବଂ ଅନ୍ୟ ଜଣେ ମୁଖ୍ୟଯନ୍ତ୍ରୀ ବାଲେଶ୍ୱର ଗସ୍ତ କରିଛନ୍ତି।
ରବିବାର ରାଉରକେଲା, କେନ୍ଦ୍ରାପଡ଼ା, ନବରଙ୍ଗପୁର, ଭଦ୍ରକ, ଦାରିଙ୍ଗବାଡ଼ି, କୋରାପୁଟ, ହୀରାକୁଦ, ଭୁବନେଶ୍ବର, ବାଲେଶ୍ବର, ଚାନ୍ଦବାଲି ଆଦି ଅଞ୍ଚଳରେ ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବରଗଡ଼, ବଲାଙ୍ଗିର, ସୁବର୍ଣ୍ଣପୁର, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ନବରଙ୍ଗପୁର ଏବଂ ବୌଦ୍ଧ ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପ୍ରବଳ ବର୍ଷା ହେବାକୁ ଥିବା ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇପାରେ। କଚ୍ଚାରାସ୍ତା, କଚ୍ଚାଘର ଭାଙ୍ଗିବା, ଗଛଡାଳ ଭାଙ୍ଗି ରାସ୍ତା ଅବରୋଧ, ସହରାଞ୍ଚଳରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇପାରେ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସତର୍କ ରହିବାକୁ କୁହାଯାଇଛି। ସମ୍ପୃକ୍ତ ଜିଲାର ଜିଲାପାଳମାନେ ସତର୍କ ରହିବାକୁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି।
Powered by Froala Editor