ସୁନା ଉପରେ ରହିବ ନାହିଁ ଟ୍ରମ୍ପଙ୍କ ଟାରିଫ୍, କମିଲା ଦାମ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନିଷ୍ପତ୍ତିକୁ ନେଇ ସାରା ବିଶ୍ୱରେ ଆଲୋଚନା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି ଯେ ସୁନା ଉପରେ କୌଣସି ଟାରିଫ୍ ଲାଗୁ ହେବ ନାହିଁ। ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଲେଖିଛନ୍ତି – “ସୁନା ଉପରେ ଟାରିଫ୍ ଲଗାଯିବ ନାହିଁ!” ଅର୍ଥାତ୍ ସୁନା ଉପରେ କୌଣସି ଟିକସ ଲାଗିବ ନାହିଁ। ତାଙ୍କ ବୟାନ ପରେ, ସୁନା ଫ୍ୟୁଚର୍ସର ମୂଲ୍ୟ ୨.୪୮% ହ୍ରାସ ପାଇ $୩,୪୦୪.୭୦ ପ୍ରତି ଆଉନ୍ସରେ ବନ୍ଦ ହୋଇଛି।
୧୨ ଅଗଷ୍ଟ ଅର୍ଥାତ୍ ମଙ୍ଗଳବାର ପୁଣି କମିଛି ସୁନା ଦାମ୍ । ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମକୁ ୧,୦୧,୪୦୦ ଟଙ୍କା ରହିଛି । ଗତକାଲି ୧,୦୨,୨୮୦ ଟଙ୍କା ଥିଲା । ଏଥିରେ ୮୮୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୨,୯୫୦ ଟଙ୍କା ରହିଛି । ଗତକାଲି ୯୩,୭୫୦ ଟଙ୍କା ଥିଲା । ଏଥିରେ ୮୦୦ ଟଙ୍କା ହ୍ରାସ ହୋଇଛି । ୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍କୁ ୭୬,୦୫୦ ଟଙ୍କା ରହିଛି। ଗତକାଲି ୭୬,୭୧୦ ଟଙ୍କା ଥିଲା । ଏଥିରେ ୬୬୦ ଟଙ୍କା ହ୍ରାସ ହୋଇଛି। ସେହିପରି ରୁପା ଦାମ୍ ମଧ୍ୟ କମ୍ ହୋଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୨,୫୦୦ ଟଙ୍କା ରହିଛି । ଗତକାଲି ୧୨,୭୦୦ ଟଙ୍କା ଥିଲା । ଏଥିରେ ୨୦୦ ଟଙ୍କା ହ୍ରାସ ହୋଇଛି ।
ଗତ ଶୁକ୍ରବାର ଦିନ, ସୁନାର ମୂଲ୍ୟ ଏକ ରେକର୍ଡ ସ୍ତରରେ ପହଞ୍ଚିଥିଲା, ଯେତେବେଳେ ଆମେରିକାର କଷ୍ଟମ୍ସ ଏବଂ ସୀମା ସୁରକ୍ଷା (CBP) ରାୟ ଦେଇଥିଲା ଯେ ଟ୍ରମ୍ପଙ୍କ ଦ୍ୱାରା ସ୍ଥିର କରାଯାଇଥିବା ୩୯% ଆମଦାନୀ ଟାରିଫ୍ ସ୍ବିଜରଲ୍ୟାଣ୍ଡରୁ ଆସୁଥିବା ୧ କିଲୋଗ୍ରାମ ଏବଂ ୧୦୦ ଆଉନ୍ସ ଓଜନର ସୁନା କାଷ୍ଟ ବାର୍ ଉପରେ ଲାଗୁ କରାଯିବ।
ଗତ କିଛି ଦିନ ଧରି ଆଲୋଚନା ହେଉଥିଲା ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସୁନା ଉପରେ ଭାରି ଟିକସ ଲଗାଇ ପାରନ୍ତି। ସରକାରୀ ନିଷ୍ପତ୍ତି ପରେ ସୁନା ଫ୍ୟୁଚର୍ସର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା ଏବଂ ସାରା ବିଶ୍ୱରେ ସୁନା ବଜାରରେ ହଇଚଇ ସୃଷ୍ଟି ହୋଇଥିଲା। କିନ୍ତୁ ସୋମବାର ଦିନ ଟ୍ରମ୍ପ ସୋସିଆଲ ମିଡିଆରେ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି ଯେ ଆମେରିକାରେ ସୁନା ଆମଦାନୀ ଉପରେ କୌଣସି ଟିକସ ଲଗାଯିବ ନାହିଁ।
Powered by Froala Editor