ଧିମାନ ଚକମାଙ୍କ ଜାମିନ ନାମଞ୍ଜୁର
ଭବାନୀପାଟଣା: ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହେଇଥିବା ଧର୍ମଗଡର ପୂର୍ବତନ ଉପ ଜିଲ୍ଲାପାଳ ଧିମାନ ଚକମା ଆଇଏଏସଙ୍କ ଜାମିନ ନାମଞ୍ଜୁର ହୋଇଛି। ସୂଚନାଯୋଗ୍ୟ ଗତ ୮ତାରିଖ ଦିନ ହର୍ଷବର୍ଦ୍ଧନ ବେହେରା ନାମକ କ୍ରଶର ମାଲିକଙ୍କ ଠାରୁ ଶ୍ରୀଚକମା ୧୦ ଲକ୍ଷ ଲାଞ୍ଚ ନେବାବେଳେ ସ୍ଵତନ୍ତ୍ର ଭିଜିଲାନ୍ସ ସେଲର ଏକ ଟିମ୍ ତାଙ୍କୁ ଧରିଥିଲା। ପରେ ତାଙ୍କ ସରକାରୀ ଆବାସ ତନଖି ବେଳେ ସେଠାରୁ ୪୭ ଲକ୍ଷରୁ ଅଧିକ ଟଙ୍କା ଭିଜିଲାନ୍ସ ଠାବ କରିଥିଲା। ୯ ତାରିଖ ଦିନ ଶ୍ରୀ ଚକମାଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିବା ପରେ କଳାହାଣ୍ଡି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ।
ମଙ୍ଗଳବାର କଳାହାଣ୍ଡି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଶ୍ରୀ ଚକମା ଙ୍କ ଜାମିନ ଆବେଦନ କରାଯିବା ପରେ କୋର୍ଟ ତାହାକୁ ଖାରଜ କରିଛନ୍ତି। ଏବେ ହାଇକୋର୍ଟରେ ଶ୍ରୀ ଚକମା ଙ୍କ ଜାମିନ ଆବେଦନ କରାଯିବ ବୋଲି ତାଙ୍କ ଓକିଲ ଦିଲ୍ଲୀପ କୁମାର କହିଛନ୍ତି। ସୂଚନାଯୋଗ୍ୟ ଗତ ୯ ତାରିଖ ଦିନ ରାଜ୍ୟ ସରକାର ଶ୍ରୀ ଚକମା ଙ୍କୁ ନିଲମ୍ବିତ କରିଥିବା ବେଳେ ଏବେ ସ୍ଥାନୀୟ ଜିଲା କାରାଗାରରେ ଅଛନ୍ତି।
Powered by Froala Editor