ଘୋଡା ଦୌଡ ବେଳେ ପାଟିରେ ପଶିଯାଇଥିଲା ମହୁମାଛି, ହୃଦ୍ଘାତରେ ପ୍ରାଣ ହରାଇଥିଲେ ସଞ୍ଜୟ

ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ଵାମୀ ତଥା ଶିଳ୍ପପତି ସଞ୍ଜୟ କପୁରଙ୍କ ମୃତ୍ୟୁ ଘଟିଛି। ହୃଦଘାତ ଯୋଗୁ ତାଙ୍କର ଦେହାନ୍ତ ହୋଇଛି। ହର୍ସ ପୋଲୋ ଖେଳୁଥିବା ସମୟରେ ହୃଦ୍ଘାତ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ୨୦୦୩ରେ କରିସ୍ମା କପୁରଙ୍କୁ ବିବାହ କରିଥିଲେ। କିନ୍ତୁ ସେମାନଙ୍କ ବିବାହକୁ ନେଇ ଅନେକ ବିବାଦ ଉପୁଜିଥିଲା। ୧୩ ବର୍ଷ ବିବାହ ପରେ, ୨୦୧୬ରେ ଦୁହେଁ ଛାଡପତ୍ର ନେଇ ଅଲଗା ହୋଇଯାଇଥିଲେ।
ଛାଡପତ୍ର ସମୟରେ, ସଞ୍ଜୟ କପୁର କରିସ୍ମାଙ୍କୁ ଭରଣପୋଷଣ ରାଶି ଭାବରେ ୭୦ କୋଟି ଟଙ୍କା ଦେଇଥିଲେ। ସେ କରିସ୍ମାଙ୍କୁ ମୁମ୍ବାଇର ଖାରରେ ଏକ ଘର ମଧ୍ୟ ଦେଇଥିଲେ। କରିସ୍ମାଙ୍କଠାରୁ ଅଲଗା ହେବାର ଗୋଟିଏ ବର୍ଷ ପରେ, ସଂଜୟ ୨୦୧୭ରେ ପ୍ରିୟା ସଚଦେବଙ୍କୁ ବିବାହ କରିଥିଲେ।
ରିପୋର୍ଟ ଅନୁଯାୟୀ, ସଞ୍ଜୟ ଲଣ୍ଡନରେ ରହୁଥିଲେ। ତାଙ୍କୁ ୫୩ ବର୍ଷ ହୋଇଥିଲା। ତାଙ୍କ ବ୍ୟାବସାୟିକ ପରାମର୍ଶଦାତା ସୁହେଲ ସେଠ୍ ସଞ୍ଜୟଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି। ମହୁମାଛି ପାଇଁ ତାଙ୍କର ହୃଦଘାତ ହୋଇଥିବା ଜଣାପଡ଼ିଛି।
ଗତ ଗୁରୁବାର ଘୋଡ଼ାଦୌଡ଼ ପ୍ରତିଯୋଗିତାରେ ସଞ୍ଜୟ ଭାଗ ନେଇଥିଲେ। ଘୋଡ଼ା ଦୌଡ଼ କରୁଥିବା ସମୟରେ ତାଙ୍କ ପାଟି ଭିତରେ ଏକ ମହୁମାଛି ପଶିଯାଇଥିଲା, ଯାହାକୁ ଭୁଲବଶତଃ ସଞ୍ଜୟ ଗିଳିଦେଇଥିଲେ। ଏହା ପରେ ତାଙ୍କୁ ହୃଦଘାତ ହୋଇଥିଲା। ବୋଧହୁଏ ଶରୀରର ଆଭ୍ୟନ୍ତରରେ ମହୁମାଛି ଦଂଶିବାରୁ ହୃଦଘାତ ହୋଇଥିବା କୁହାଯାଉଛି। ତୁରନ୍ତ ତାଙ୍କର ଚିକିତ୍ସା କରାଯାଇଥିଲେ ହେଁ ଡାକ୍ତରମାନେ ତାଙ୍କ ଜୀବନ ରକ୍ଷା କରିପାରି ନ ଥିଲେ।
Powered by Froala Editor