ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀଙ୍କ ପରଲୋକ
ବରଗଡ଼: ପୂର୍ବତନ ମନ୍ତ୍ରୀ ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ଚାରୁଶୀଳା ଆଚାର୍ଯ୍ୟ(୬୮)ଙ୍କ ଗୁରୁବାର ହୃଦଘାତରେ ପରଲୋକ ହୋଇଯାଇଛି। ସେ ଜଣେ ଧର୍ମପରାୟଣ ଓ ପରୋପକାରୀ ମହିଳା ଥିଲେ। ସେ ତାଙ୍କ ଚକ୍ଷୁ ଦାନ ମଧ୍ୟ କରିଛନ୍ତି। ଡାକ୍ତରୀ ଦଳଙ୍କ ଉପସ୍ଥିତିରେ ମୃତ୍ୟୁ ପରେ ତାଙ୍କ ପାର୍ଥିବ ଶରୀରରୁ ଚକ୍ଷୁ ସଂଗ୍ରହ କରାଯାଇଥିଲା। ସେ ଦୁଇ ଝିଅ ଲୋପାମୁଦ୍ରା ଓ ମୋନାଲିସାଙ୍କୁ ଛାଡି ଯାଇଛନ୍ତି। ଅପରାହ୍ଣ ୩ ଟାରେ ସ୍ଥାନୀୟ ଜୀରା ନଦୀ କୂଳ ସ୍ବର୍ଗଦ୍ବାରରେ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିଲା। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତୁରା ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ସମ୍ବିତ ଆଚାର୍ଯ୍ୟ ଉପସ୍ଥିତ ଥିଲେ। ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆଙ୍କ ସହ ସୁଶାନ୍ତ ମିଶ୍ର, ପ୍ରଭାତାଦିତ୍ୟ ମିଶ୍ର ପ୍ରମୁଖ ଶେଷ ଦର୍ଶନ କରିଥିଲେ।
ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପରଲୋକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସଭାପତି ତଥା ବିଧାୟକ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ସେ ଜଣେ ସରଳ ଓ ମିଷ୍ଟଭାଷୀ ମହିଳା ଥିଲେ। ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
Powered by Froala Editor