୮.୨୫% ଇପିଏଫ ସୁଧହାରକୁ ଅନୁମୋଦନ

କେନ୍ଦ୍ର ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ) ଉପରେ ୮.୨୫ ପ୍ରତିଶତ ସୁଧ ହାରକୁ ଅନୁମୋଦନ କରିଛନ୍ତି। ଏହା ଫଳରେ, ଇପିଏଫଓ ଏହାର ସାତ କୋଟିରୁ ଅଧିକ ଆକାଉଣ୍ଟଧାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଉପରେ ବାର୍ଷିକ ସୁଧ ଜମା କରିପାରିବ।
ଗତ ବର୍ଷ ମଧ୍ୟ EPF ଉପରେ ସୁଧ ହାର ସମାନ ଥିଲା। ପୂର୍ବରୁ, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଫେବୃଆରୀରେ ସୁଧ ହାର ୮.୨୫ ପ୍ରତିଶତ ବଜାୟ ରଖିବାକୁ ଘୋଷଣା କରିଥିଲା।
ଏବେ ଅର୍ଥ ମନ୍ତ୍ରଣାଳୟ ମଧ୍ୟ ଏହାକୁ ଅନୁମୋଦନ କରିଛି। ଏହି ସପ୍ତାହରେ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଅବସର ପାଣ୍ଠି ସଂସ୍ଥାକୁ ଏକ ବିଜ୍ଞପ୍ତି ପଠାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ EFFOର ୭ କୋଟି ସଦସ୍ୟଙ୍କ ପାଇଁ ସୁଧ ହାର ୨୦୨୨-୨୩ ରେ ୮.୧୫ ପ୍ରତିଶତରୁ ୨୦୨୩-୨୪ ପାଇଁ ୮.୨୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା।
ଶ୍ରମ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ଅର୍ଥ ମନ୍ତ୍ରଣାଳୟ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଇପିଏଫ ଉପରେ ୮.୨୫ ପ୍ରତିଶତ ସୁଧ ହାର ଦେବାକୁ ରାଜି ହୋଇଛି ଏବଂ ଶ୍ରମ ମନ୍ତ୍ରଣାଳୟ ଗୁରୁବାର ଏ ସମ୍ପର୍କରେ ଇପିଏଫଓକୁ ଜଣାଇ ଦେଇଛି।
Powered by Froala Editor