ପଶ୍ଚିମବଙ୍ଗର ଭୋଟର ପ୍ରଧାନମନ୍ତ୍ରୀଙ୍କୁ ପସନ୍ଦ କରୁଛନ୍ତି , ଏହି କଥା କିଏ କହିଛନ୍ତି ଜାଣନ୍ତୁ?

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ର ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ମଧ୍ୟ ଦଳର ଆଭ୍ୟନ୍ତରୀଣ ସର୍ବେକ୍ଷଣରୁ ସ୍ୱୀକାର କରିଛନ୍ତି ଯେ ଏହି ଲଢେ଼ଇରେ ବିଜେପି ବାଜିମାତ କରିବ । ପଶ୍ଚିମବଙ୍ଗର ଭୋଟର ପ୍ରଧାନମନ୍ତ୍ରୀଙ୍କୁ ପସନ୍ଦ କରୁଛନ୍ତି ଏବଂ ଭୋଟ ଧ୍ରୁବୀକରଣରୁ ବିଜେପି ଫାଇଦା ନେବ ବୋଲି ପ୍ରଶାନ୍ତଙ୍କ ଏକ ଅଡିଓ ଟେପ ଲୋକଲୋଚନକୁ ଆସିଛି । କ୍ଲବ ହାଉସ ଆପରେ କିଛି ସାମ୍ବାଦିକଙ୍କ ସହ ପ୍ରଶାନ୍ତ କିଶୋରଙ୍କ ଆଲୋଚନାର ଚାରୋଟି ଅଡିଓ କ୍ଲିପ ଟ୍ୱିଟ କରି ବିଜେପିର ସୂଚନା ଓ ବୈଷୟିକ ବିଭାଗ ମୁଖ୍ୟ ତଥା ଦଳର ବଙ୍ଗଳା ଦାୟିତ୍ୱରେ ଥିବା ଅମିତ ମାଲବ୍ୟ ଏପରି ଦାବି କରିଛନ୍ତି । ସାଧାରଣ ଜନତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବେଦନ, ରାଜ୍ୟରେ ଶାସକ ଟିଏମସି ବିପକ୍ଷରେ ସତ୍ତା ବିରୋଧୀ ଲହର, ବର୍ଷ ବର୍ଷ ଧରି ରାଜନୈତିକ ଦଳ ଗୁଡ଼ିକର ମୁସଲିମ ତୁଷ୍ଟିକରଣ ନୀତି ଏବଂ ଧ୍ରୁବୀକରଣ ଯୋଗୁଁ ଦଳିତଙ୍କ ଭୋଟ ବିଜେପି ସପକ୍ଷରେ ଯିବ ବୋଲି ପ୍ରଶାନ୍ତ କିଶୋର ଏଥିରେ କହୁଥିବା ଶୁଣିବାକୁ ମିଳିଛି । ତେବେ ମାଲବ୍ୟ ଛାଡ଼ିଥିବା ଏଭଳି ଅଡିଓ କ୍ଲିପର ତୀବ୍ର ପ୍ରତିକି୍ରୟା ରଖିଛନ୍ତି ପ୍ରଶାନ୍ତ କିଶୋର । ଯଦି ବିଜେପିର ସାହସ ଅଛି ତେବେ ପୂର୍ଣ୍ଣ ଅସମ୍ପାଦିତ ବୟାନ ଲୋକଲୋଚନକୁ ଆଣିବାକୁ ସେ ଟ୍ୱିଟରରେ ଦାବି କରିଛନ୍ତି ।