ଭଜଣାକୁ ବାନ୍ଧିଲା ମାମୁ

ନୟାଗଡ଼: ମାମୁ ଘରକୁ ବୁଲିବାକୁ ଆସିଥିଲା । ବାଇକ୍ ଚୋରି କରି ଛୁ ମାରିବାକୁ ଚେଷ୍ଟା କରୁଥିଲା । ହେଲେ ଖବରପାଇ ପୁଲିସ୍ ମାମୁ ଗୋଡ଼ାଇଲା । କିଛି ବାଟ ଯିବା ପରେ ମାଡ଼ି ବସିଲା । ଏଭଳି ଘଟଣା ଘଟିଛି ନୟାଗଡ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ । ଯାହାକି ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି । ଗିରଫ ଅଭିଯୁକ୍ତ ହେଲା ଶ୍ରୀନିବାସ ପଣ୍ଡା (୨୧) । ଘର ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ପଲ୍ଲୀ ଗ୍ରାମରେ ।
ଇଟାମାଟି ଥାନା ଅନ୍ତର୍ଗତ ବାଉଁଶିଆପଡା ଗ୍ରାମକୁ ଶ୍ରୀନିବାସ ଗତ ୩ ତାରିଖରେ ବୁଲିବାକୁ ଆସିଥିଲା । ମାମୁ ଘରେ କିଛିଦିନ ରହିଥିଲା । ଏହି ସମୟରେ ମାମୁଙ୍କ ଜଣେ ସମ୍ପର୍କୀୟ ଘରକୁ ବୁଲିବାକୁ ଆସିଥିଲେ । ସୁଯୋଗ ଉଣ୍ଡି ଶ୍ରୀନିବାସ ତାଙ୍କ ବାଇକ୍ ଚୋରି କରି ଛୁ ମାରିଥିଲା । ବହୁ ଖୋଜାଖୋଜି ପରେ ବାଇକ୍ ମିଳିନଥିଲା । ଶେଷରେ ସମ୍ପର୍କୀୟ ଜଣଙ୍କ ଥାନାରେ ଏତଲା ଦେଇଥିଲେ । ପୁଲିସ୍ ଅନୁସନ୍ଧାନ କରିବା ବେଳେ ଶ୍ରୀନିବାସ ବାଇକ୍ ଚୋରି କରିଥିବା ଜଣାପଡ଼ିଥିଲା । ତଦନ୍ତ ବେଳେ ପୁଲିସ୍ ଜାଣିବାକୁ ପାଇଥିଲା ଶ୍ରୀନିବାସ ଖୋର୍ଦ୍ଧାରେ ଲୁଚିଛି । ସେଠାକୁ ଏକ ଟିମ୍ ଯାଇ ଶ୍ରୀନିବାସକୁ ଗିରଫ କରାଯାଇଛି । ତା’ ଠାରୁ ଚୋରି ବାଇକ୍ ଉଦ୍ଧାର କରିଛି ପୁଲିସ୍ । ଏଥିସହ ତାକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।
Powered by Froala Editor