'ପାକିସ୍ତାନକୁ ପୁରା ଧ୍ୱଂସ କରିଦେବା ଦରକାର'

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ଉତ୍ତେଜନା ପରିସ୍ଥିତି ଜାରି ରହିଛି । ଗୋଟିଏ ପଟେ ଭାରତ କେବଳ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ କରୁଥିବା ବେଳେ ପାକିସ୍ତାନ କିନ୍ତୁ ଭାରତର ଆବାସିକ ଅଞ୍ଚଳଗୁଡିକୁ ଟାର୍ଗେଟ କରୁଛି । ରାଜସ୍ଥାନର ଜୈସଲମେରରେ ଏକ ଜୀବନ୍ତ ବୋମା ମିଳିବା ଯୋଗୁଁ ଆତଙ୍କ ସୃଷ୍ଟି ହୋଇଛି । ଜୈସଲମେର ପାକିସ୍ତାନ ସୀମା ସଂଲଗ୍ନ ଅଞ୍ଚଳ । ବୋମା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ପୁଲିସ ଫୋର୍ସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଫଳରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇଯାଇଛନ୍ତି । ଯେଉଁଘର ସାମ୍ନରେ ବୋମା ପଡିଥିଲା, ସେହି ଘରେ ରହୁଥିବା ଲୋକମାନେ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ।
ସେମାନେ କହିଛନ୍ତି ରାତିରେ ହଠାତ ବୋମାଟି ପ୍ରଚଣ୍ଡ ଶକ୍ତି ସହିତ ପଡିବାରୁ ମାଟି ତଳେ ପୋତି ହୋଇଯାଇଥିଲା । ଏହା ଆମର ଭାଗ୍ୟ ଥିଲା ଯେ ବୋମାଟି ଫୁଟିନଥିଲା । ଏହାପରେ ପୁଲିସକୁ ଖବର ଦିଆଯାଇଥିଲା । ଆବାସିକ ଅଞ୍ଚଳ ଉପରେ ଆକ୍ରମଣ କରି ପାକିସ୍ତାନ ଭୁଲ କରୁଛି କି ନାହିଁ ଲୋକଙ୍କୁ ପଚାରିବାରୁ ଏହାର ଜବାବରେ ସେମାନେ କହିଛନ୍ତି ଯେ ପାକିସ୍ତାନକୁ ପୁରା ଧ୍ୱଂସ କରିଦେବା ଦରକାର । ଏହାବ୍ୟତୀତ ଲୋକମାନେ କହିଛନ୍ତି ଯେ ଆମର ଜୀବନ ଯାଉ ପଛେ କିନ୍ତୁ ପାକିସ୍ତାନକୁ ଜମାରୁ ଛାଡିବା ଉଚିତ ନୁହେଁ ।
Powered by Froala Editor