ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ, ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛି ପୁଅ
ଫୁଲବାଣୀ: ବାପ-ପୁଅ ହସଖୁସିରେ ଯାଉଥିଲେ । ବାଇକ୍ରେ ଗଲା ବେଳେ ଭଳମନ୍ଦ କଥା ହେଉଥିଲେ । ଘର କିପରି ଭଲରେ ଚଳିବ ସେନେଇ କେତେ କ’ଣ ଯୋଜନା କରିଥିଲେ । ହେଲେ ମାତ୍ର କିଛି କ୍ଷଣ ଭିତରେ ସବୁ କିଛି ଓଲଟପାଲଟ ହୋଇଗଲା । ଅଧାବାଟରେ ଘଟିଲା ଦୁର୍ଘଟଣା । ଟ୍ରକ୍ଟର ସହିତ ଧକ୍କା ହେଲା ବାଇକ୍ । ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଡାକ୍ତରଖାନାରେ ଜୀବନ ସହିତ ସଂଗ୍ରାମ କରୁଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଫୁଲବାଣୀ ସଦର ଥାନା ଅନ୍ତର୍ଗତ ତିଳକପଡ଼ା ନିକଟରେ ।
ଶୁକ୍ରବାର ଟିକାବାଲି ଥାନା ଅଞ୍ଚଳ କଇଁଝର ଗ୍ରାମର ଶ୍ୟାମସୁନ୍ଦର ସାହୁ ପୁଅ ସହିତ କୌଣସି କାମରେ ବାଇକ୍ ଯୋଗେ ଫୁଲବାଣୀ ଯାଉଥିଲେ । ପୁଅ ଗାଡ଼ି ଚଲାଉଥିବା ବେଳେ ଶ୍ୟାମସୁନ୍ଦର ପଛପଟେ ବସିଥିଲେ । ତିଳକପଡ଼ା ଛକ ନିକଟରେ ଏକ ଟ୍ରାକ୍ଟର ସାମ୍ନାକୁ ଚାଲି ଆସିଥିଲା । ଫଳରେ ବାଇକ୍ ଚାଳକ ଭାରସାମ୍ୟ ହରାଇଥିଲେ । ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଶ୍ୟାମସୁନ୍ଦରଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ପୁଅ ଗୁରୁତର ଆହତ ହୋଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ସଦର ମହକୁମାକୁ ସ୍ଥାନାନ୍ତର କରାଯାଇଛି । ପୁଲିସ୍ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛି ।
Powered by Froala Editor