ଜ୍ୱାଇଁଙ୍କ ଯୌନାଙ୍ଗ କାଟିଲେ ଶ୍ୱଶୁର ଓ ଶଳା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋଗରାଇ: ପ୍ରେମ କରି ନିଜ ସମ୍ପର୍କୀୟା ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିବା ଜୈନିକ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଦୁଇ ସଉତୁଣୀ ମଧ୍ୟରେ ବିବାଦ ନଥିଲା ବେଳେ ସମ୍ପୃକ୍ତ ଯୁବକ ଶ୍ୱଶୁର ଓ ଶଳାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ବାରମ୍ବାର ହତ୍ୟା ଧମକ ପାଇବା ପରେ ଭୟରେ ଘର ଛାଡ଼ି ଯୁବକ ୨ ପତ୍ନୀଙ୍କ ସମେତ ପ୍ରଥମ ପତ୍ନୀଙ୍କ ଦୁଇ ପିଲାଙ୍କୁ ନେଇ ଥାନାଠାରୁ ମାତ୍ର ଶହେ ମିଟର ଦୂର ଭଡ଼ା ଘରେ ରହିଲେ । ମାତ୍ର ଦୁଇ ଶ୍ୱଶୁର ଓ ଶଳା ମିଶି ସେମାନଙ୍କୁ ଖୋଜି ବାହାର କରିବା ସହିତ ଜ୍ୱାଇଁଙ୍କୁ ମରଣାନ୍ତକ ଆକ୍ରମଣ କରି ଦ୍ୱିତୀୟ ପତ୍ନୀଙ୍କୁ ଉଠାଇ ନେଲେ । କେବଳ ସେତିକି ନୁହେଁ, ବ୍ଲେଡରେ ଜ୍ୱାଇଁଙ୍କ ଯୌନାଙ୍ଗକୁ କାଟି କ୍ଷତାକ୍ତ କରି ସେମାନେ ଖସି ଯାଇଛନ୍ତି । ଏପରି ନୃଶଂସ କାଣ୍ଡ ଶୁକ୍ରବାର ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳରେ ଘଟିଛି । ଭୋଗରାଇ ଥାନା କାଳାହି ଗ୍ରାମର ଲକ୍ଷ୍ମୀକାନ୍ତ ସେଠୀଙ୍କ ପୁଅ ରାଜେଶ (୩୨) ୧୧ ବର୍ଷ ତଳେ ସ୍ଥାନୀୟ ଶୁଖଷଣ୍ଡା ଗ୍ରାମର ମଧୁସୂଦନ ଖଟୁଆଙ୍କ ଝିଅ ସବିତାକୁ ବିବାହ କରିଥିଲେ । ସେମାନଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି । ପରେ ସମ୍ପୃକ୍ତ ଥାନା ଅନ୍ତର୍ଗତ ଗୀତଖଳା ଗ୍ରାମର ସମ୍ପର୍କୀୟ ଗୌରାଙ୍ଗ ଧଳଙ୍କ ଝିଅ ପ୍ରତିମାକୁ ରାଜେଶ ପ୍ରେମ ବିବାହ କରିଥିଲେ । ଦୁଇ ପତ୍ନୀଙ୍କୁ ନେଇ ରାଜେଶ ଖୁସିରେ ରହିଥିବା ବେଳେ ଦୁଇ ଶ୍ୱଶୁର ମଧୂସୂଦନ ଓ ଗୌରାଙ୍ଗ ସମେତ ପ୍ରଥମ ପତ୍ନୀଙ୍କ ଭାଇ ତି୍ରଲୋଚନ ତାଙ୍କୁ ଜୀବନରୁ ମାରିଦେବାକୁ ନେଇ ବାରମ୍ବାର ଧମକ ଦେଇ ଆସୁଥିଲେ । ଭୟଭୀତ ହୋଇ ନିଜ ପତ୍ନୀ, ଛୁଆଙ୍କୁ ନେଇ ଶହେ ମିଟର ଦୂରରେ ଘର ଭଡା ନେଇ ରାଜେଶ ରହୁଥିଲେ । ଶୁକ୍ରବାର ସକାଳ ପ୍ରାୟ ୭ଟାରେ ରାଜେଶଙ୍କ ସମେତ ତାଙ୍କ ପରିବାରର ସମସ୍ତେ ଏହି ଭଡ଼ା ଘରେ ଥିଲେ । ଏତିକିବେଳେ ତାଙ୍କର ୨ ଶ୍ୱଶୁର ଓ ଶଳା ଭୁଜାଲି, ଛୁରି ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚିଥିଲେ । ରାଜେଶ କିଛି ବୁଝିବା ପୂର୍ବରୁ ତାଙ୍କ ଉପରେ ସେମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ଗୌରାଙ୍ଗର ଭୂଜାଲି ଚୋଟରେ ରାଜେଶଙ୍କ ମୁଣ୍ଡ, ବାମ ହାତ, ବାମ କାନ ଓ ବେକରେ ଗଭୀର କ୍ଷତସୃଷ୍ଟି ହୋଇଛି । ମଧୁସୂଦନ ଓ ତି୍ରଲୋଚନ ବିଧା ଗୋଇଁଠା ମାରିବା ସହ ଏକ ଧାରୁଆ ବ୍ଲେଡରେ ରାଜେଶଙ୍କ ଯୌନାଙ୍ଗ କାଟି ଦେଇଥିଲେ । ଏହା ସହିତ ପ୍ରଥମ ପତ୍ନୀ ସବିତାଙ୍କୁ ପିଟାମରା କରିବା ସହ ପୁଅଙ୍କୁ ମଧ୍ୟ ଲୁହା ରଡରେ ମାରିଥିଲେ । ପରେ ଆକ୍ରମଣକାରୀମାନେ ରାଜେଶଙ୍କ ଦ୍ୱିତୀୟ ପତ୍ନୀ ପ୍ରତିମାଙ୍କୁ ଉଠାଇ ନେଇ ପଳାଇ ଯାଇଥିଲେ । ପୁଣି ପ୍ରତିମା ସହିତ ସମ୍ପର୍କ ରଖିବାକୁ ଚେଷ୍ଟା କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ସେ ପ୍ରାଥମିକ ଚିକିତ୍ସା କରାଯିବା ପରେ ସଂକଟାପନ୍ନ ହେବାକୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏ ନେଇ ରାଜେଶଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ଭୋଗରାଇ ପୁଲିସ ଏକ ମାମଲା ରୁଜୁ କରିଛି ।