ସିନ୍ଧୁ ନଦୀ ଚୁକ୍ତି ବାତିଲ, ଅଟାରୀ-ୱାଘା ସୀମା ବନ୍ଦ

ଜମ୍ମୁ ଓ କଶ୍ମୀରର ପହଲଗାମ୍ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ହମଲା ପରେ ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ ବଡ ନିଷ୍ପତ୍ତି ନିଆଯାଇଛି । ଏହି ଘଟଣାର ପ୍ରତିବାଦ ସ୍ୱରୂପ ଭାରତ ୧୯୬୦ରେ ସ୍ୱାକ୍ଷରିତ ସିନ୍ଧୁ ଜଳ ଚୁକ୍ତିନାମାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖିବାକୁ ଘୋଷଣା କରିଛି। ଏହି ନିଷ୍ପତ୍ତି ଫଳରେ ପାକିସ୍ତାନକୁ ଏକ ବଡ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ପାକିସ୍ତାନରେ ଜଳ ସମସ୍ୟା ଦେଖାଦେବା ସହ ପୂର୍ବରୁ ଲାଗି ରହିଥିବା ଆର୍ଥିକ ସମସ୍ୟା ଅଧିକ ଗୁରୁତର ହେବ ।
ଖାଲି ସେତିକି ନୁହେଁ, ବୈଦେଶିକ ମନ୍ତ୍ରାଳୟ ତରଫରୁ ଅନେକ ବଡ ଘୋଷଣା ହୋଇଛି । ଅଟାରୀ-ୱାଘା ସୀମାକୁ ବନ୍ଦ କରାଯାଇଛି ଏବଂ ପାକିସ୍ତାନୀ ନାଗରିକମାନଙ୍କ ପାଇଁ ଭିସା ଜାରି ଉପରେ ରୋକ ଲଗାଯାଇଛି। ଏହା ସହିତ ଭାରତରେ ଥିବା ପାକିସ୍ତାନୀ ହାଇ କମିଶନର କାର୍ଯ୍ୟାଳୟର କର୍ମଚାରୀ ସଂଖ୍ୟାକୁ ୫୫ରୁ ୩୦କୁ ହ୍ରାସ କରାଯାଇଛି। ଏହି ସମସ୍ତ ନିଷ୍ପତ୍ତି ଫଳରେ ପାକିସ୍ତାନ ଉପରେ ଏହାର ଭାରୀ ପ୍ରଭାବ ପଡିବ । ଅନ୍ୟପଟେ ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିପାରେ ବୋଲି ସୂଚନା ମିଳିଛି ।
ବିଶେଷଜ୍ଞମାନେ ମତ ଦେଉଛନ୍ତି ଯେ, ଏହା ପାକିସ୍ତାନର କୃଷି ଓ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇପାରେ, କାରଣ ସିନ୍ଧୁ ନଦୀ ବ୍ୟବସ୍ଥା ପାକିସ୍ତାନର ଜଳସେଚନ ଓ ଜଳ ଯୋଗାଣ ପାଇଁ ମୁଖ୍ୟ ସ୍ରୋତ। ସିନ୍ଧୁ ଜଳ ଚୁକ୍ତିନାମା ଅନୁସାରେ, ସିନ୍ଧୁ ନଦୀ ବ୍ୟବସ୍ଥାର ଜଳକୁ ଭାରତ ଓ ପାକିସ୍ତାନ ମଧ୍ୟରେ ନିର୍ଦ୍ଦିଷ୍ଟ ଅନୁପାତରେ ବଣ୍ଟନ କରାଯାଏ। ଏହି ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗର ପ୍ରତୀକ ଥିଲା। ତେବେ, ପହଲଗାମ୍ ହମଲାରେ ଅନେକ ନିରୀହ ଲୋକଙ୍କ ଜୀବନ ହାନି ହେବା ପରେ ଭାରତ ଏହି ଚୁକ୍ତିନାମାକୁ ସ୍ଥଗିତ କରି ଆତଙ୍କବାଦ ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛି।
Powered by Froala Editor