ଆକ୍ରମଣ ଭୟ, ବର୍ତ୍ତିବା ପାଇଁ ଦୌଡୁଛନ୍ତି ବ୍ୟକ୍ତି

ପହଲଗାମ୍: ଜମ୍ମୁ-କାଶ୍ମୀରର ପହଲଗାମରେ ମଙ୍ଗଳବାର ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ବିଚଳିତ କରିବା ଭଳି ଅନେକ ଭିଡିଓ, ଫଟୋ ଓ ଖବର ଲଗାତର ଭାବେ ସାମ୍ନାକୁ ଆସୁଛି। ଘାଟିରେ ସାଧାରଣ ନାଗରିକଙ୍କ ଉପରେ ଏହା ସବୁଠୁ ବଡ଼ ଆତଙ୍କୀ ହମ୍ଲା ବୋଲି କୁହାଯାଉଛି, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏହି ଆତଙ୍କବାଦୀ ଆକ୍ରମଣ ପହଲଗାମର ରିସର୍ଟ ସହରରୁ ପ୍ରାୟ ପାଞ୍ଚ କିଲୋମିଟର ଦୂରରେ ଥିବା ବୈସରନ ଘାସ ପଡ଼ିଆରେ ଘଟିଥିଲା। ଏବେ ଆକ୍ରମଣର କିଛି ସମୟ ପୂର୍ବରୁ ବୈସରନ ଘାସ ପଡ଼ିଆରୁ ଜଣେ ବ୍ୟକ୍ତିଙ୍କ ଭିଡିଓ ସାମ୍ନାକୁ ଆସିଛି।
ଇଣ୍ଟରନେଟରେ ଭାଇରାଲ ହେଉଥିବା ଭିଡିଓରେ ସେହି ସୁନ୍ଦର ସ୍ଥାନ ଦେଖିବାକୁ ମିଳିଛି, ଯାହା ବର୍ତ୍ତମାନ ଏକ ଘାତକ ଆତଙ୍କୀ ହମ୍ଲାର କେନ୍ଦ୍ରସ୍ଥଳ ପାଲଟିଛି। ଭିଡିଓରେ ଗୁଳି ଓ ଚିତ୍କାରର ଶବ୍ଦ ଶୁଣିବାକୁ ମିଳିଛି। ଏହି ଶବ୍ଦ ଶୁଣି ଲୋମ ଟାଙ୍କୁରୀ ଉଠୁଛି। ବ୍ୟକ୍ତି ଜଣକ ଆକ୍ରମଣରୁ ବର୍ତ୍ତିବାକୁ ଚେଷ୍ଟା କରୁଛନ୍ତି ଏବଂ କହୁଛନ୍ତି ଯେ, ଆତଙ୍କୀ ହମ୍ଲା ହୋଇଛି। ସେ କହୁଛନ୍ତି, ଅଳ୍ପକେ ବର୍ତ୍ତିଯାଇଛି ଏବଂ ତାଙ୍କ ଜୀବନ ରକ୍ଷା କରିଥିବାରୁ ଭଗବାନଙ୍କୁ କୃତଜ୍ଞତା ଜଣାଉଛନ୍ତି। ଏଥିସହ ଅନ୍ୟମାନଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି।
Powered by Froala Editor