ଏକ୍ସରେ ସୂଚନା ଦେଲେ ମସ୍କ୍ , ବର୍ଷ ଶେଷ ଆଡ଼କୁ ଭାରତ ଆସିବେ
ଟେସଲା ସିଇଓ ଏବଂ ଆମେରିକୀୟ ଶିଳ୍ପପତି ଏଲନ ମସ୍କ ଚଳିତ ବର୍ଷ ଭାରତ ଗସ୍ତରେ ଆସିବା ବିଷୟ ଘୋଷଣା କରିଛନ୍ତି। ମୋଦୀଙ୍କ ସହ କଥା ହେବା ପରେ, ସେ ତାଙ୍କ ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି ଯେ ସେ ଭାରତ ଆସିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।
ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏଲନ୍ ମସ୍କ ଟେଲିକନଫରେସିଂରେ କଥା ହୋଇଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଂଗକୁ ନେଇ ଆଲୋଚନା ହୋଇଥିଲା । ଏହାକୁ ନେଇ ସୋସିଆଲ୍ ମିଡିଆରେ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି ସ୍ପେଶ-ଏକ୍ସ ସିଇଓ ଏଲନ ମସ୍କ । ସେ ଏଥିରେ ଲେଖିଛନ୍ତି, 'ପିଏମ୍ ମୋଦିଙ୍କ ସହିତ ଆଲୋଚନା କରିବା ମୋ ପାଇଁ ସମ୍ମାନର କଥା । ଭାରତ ଆସିବା ପାଇଁ ମୁଁ ଉତ୍ସୁକତାର ସହିତ ଅପେକ୍ଷା କରିଛି' । ଚଳିତ ବର୍ଷ ଶେଷ ଆଡ଼କୁ ଭାରତ ଆସିପାରେ ବୋଲି ମସ୍କ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଏହାଛଡ଼ା ଭାରତ ଓ ଆମେରିକା ସହିତ ବିଭିନ୍ନ ପ୍ରସଂଗକୁ ନେଇ ମଧ୍ୟ ଦୁଇ ଜଣଙ୍କ ମଧ୍ୟରେ ଆଲୋଚନା ହୋଇଛି ।
ପୂର୍ବରୁ, ମସ୍କଙ୍କ ସହ କଥାବାର୍ତ୍ତା କରିବା ପରେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଏକ୍ସ ଆକାଉଣ୍ଟରେ ଲେଖିଥିଲେ, "ଏଲନ୍ ମସ୍କଙ୍କ ସହ କଥାବାର୍ତ୍ତା ସମୟରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏଥିରେ ଚଳିତ ବର୍ଷ ଆରମ୍ଭରେ ୱାଶିଂଟନ୍ ଡିସିରେ ଆମର ବୈଠକ ସମୟରେ ଆଲୋଚନା ହୋଇଥିବା ବିଷୟଗୁଡ଼ିକ ଅନ୍ତର୍ଭୁକ୍ତ ଥିଲା। ଆମେ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ସହଯୋଗର ଅପାର ସମ୍ଭାବନା ବିଷୟରେ ଆଲୋଚନା କରିଥିଲୁ। ଭାରତ ଏହି କ୍ଷେତ୍ରଗୁଡ଼ିକରେ ଆମେରିକା ସହିତ ଏହାର ସହଭାଗୀତାକୁ ଆହୁରି ବୃଦ୍ଧି କରିବାକୁ ପ୍ରତିବଦ୍ଧ," ମୋଦୀ କହିଥିଲେ।
Powered by Froala Editor