ଅମର ସହିଦଙ୍କ ସାହସିକତାର ଗାଥା ପ୍ରଥମେ ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ: ଶାହ

ନୂଆଦିଲ୍ଲୀ:୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରାଯିବ ଏବଂ ଏଥିରେ ସିଆରପିଏଫ ଯବାନମାନେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ସିଆରପିଏଫର ୮୬ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ମଧ୍ୟପ୍ରଦେଶର ନିମୁଚଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ଶାହା ଏହା କହିଛନ୍ତି। ଦେଶକୁ ନକ୍ସଲ ମୁକ୍ତ କରିବା ଦିଗରେ ଆମ କୋବ୍ରା ବାଟାଲିୟନର ଯବାନମାନେ ଅଭୂତପୂର୍ବ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି। ନକ୍ସଲବାଦରୁ ସମ୍ପୂର୍ଣ୍ଣ ମୁକ୍ତି ପାଇବା ପାଇଁ ଦେଶର ସଂକଳ୍ପ ଆପଣଙ୍କ ଅଦମ୍ୟ ସାହସ ବଳରେ ପୂରଣ ହେବ ବୋଲି ସେ କହିଛନ୍ତି।
ଦେଶର ଅମର ସହିଦଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ଶାହା କହିଛନ୍ତି ଯେ ଯେତେବେଳେ ଦେଶର ଇତିହାସ ଲେଖାଯିବ, ସେତେବେଳେ ସୁରକ୍ଷା ବାହିନୀର ଅମର ସହିଦଙ୍କ ସାହସିକତାର ଗାଥା ପ୍ରଥମେ ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ। ସମସ୍ତ ସହିଦ ସିଆରପିଏଫ ଯବାନଙ୍କ ପରିବାରକୁ ପ୍ରଶଂସା କରି ସେ କହିଛନ୍ତି ଯେ ଦେଶ ଶକ୍ତିଶାଳୀ ଓ ସମୃଦ୍ଧ ହେଉଛି, ଏଥିରେ ଆପଣଙ୍କ ପରିବାରର ଅବଦାନ ଅତୁଳନୀୟ। ଦେଶର ନିରାପତ୍ତା ଓ ସ୍ୱାଧୀନତାର କାହାଣୀ ଯେତେବେଳେ ଲେଖାଯିବ, ଏଥିରେ ଆପଣଙ୍କ ପରିବାରର ଅବଦାନ ସର୍ବଦା ସ୍ମରଣୀୟ ରହିବ।
Powered by Froala Editor