ଭାଗିରଥୀରେ ଭାସିଗଲେ ମହିଳା

ଉତ୍ତରକାଶୀର ମଣିକର୍ଣ୍ଣିକା ଘାଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୧୪ ଏପ୍ରିଲର ଏହି ଘଟଣାରେ, ଜଣେ ମହିଳା ରିଲ୍ ତିଆରି କରୁଥିବା ସମୟରେ ଗଙ୍ଗା ନଦୀରେ ଭାସି ଯାଇଥିଲେ। ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଜଣେ ମହିଳା ଦ୍ରୁତ ଗତିରେ ପ୍ରବାହିତ ଭାଗିରଥୀ ନଦୀରେ ଠିଆ ହୋଇଛନ୍ତି। ସେ ଫଟୋ ତଥା ଭିଡିଓ ଉତ୍ତୋଳନ ପାଇଁ ପଛକୁ ଯାଉଛନ୍ତି। ଏହି ସମୟରେ ଭାରସାମ୍ୟ ହରାଇ ସେ ପ୍ରଖର ସ୍ରୋତରେ ଭାସି ଯାଉଛନ୍ତି। ଫଟୋ ଉଠାଉଥିବା ତାଙ୍କ ଝିଅ ଚିତ୍କାର କରୁଛି, କିନ୍ତୁ ତା’ ଆଖି ଆଗରେ ମାଆ ନଦୀ ଜଳରେ ଲୀନ ହୋଇଯାଉଛି। ମହିଳାଙ୍କ ସନ୍ଧାନ ଏବେ ବି ଜାରି ରହିଛି। ଏପର୍ଯ୍ୟନ୍ତ ମହିଳାଙ୍କ ପତ୍ତା ମିଳିପାରିନଥିବା କୁହାଯାଉଛି।
ମହିଳା ନେପାଳର ଏବଂ ସେ ଉତ୍ତରକାଶୀ ତାଙ୍କ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ। ତାଙ୍କ ସହିତ ତାଙ୍କର ୧୧ ବର୍ଷର ଝିଅ ମଧ୍ୟ ଥିଲା। ଭିଡିଓରେ ଦେଖାଯାଇଛି ଯେ, ମହିଳାଜଣକ ଝିଅକୁ କ୍ୟାମେରା ଧରାଇ ରେକର୍ଡ କରିବାକୁ କହୁଛନ୍ତି। ଏହା ପରେ କ୍ୟାମେରା ଆଡ଼କୁ ଚାହିଁ ଧୀରେ ଧୀରେ କୂଳରୁ ନଦୀ ଭିତରକୁ ଯାଉଛନ୍ତି। ନଦୀ ଭିତରକୁ ଯିବାର କିଛି ସେକେଣ୍ଡ ପରେ ତାଙ୍କ ପାଦ ଖସିଯାଉଛି ଏବଂ ସେ ପଡ଼ିଯାଉଛନ୍ତି। ନଦୀର ସ୍ରୋତ ପ୍ରଖର ଥିବାରୁ ସେ ଉଠିନପାରି ଭାସିଯାଉଛନ୍ତି। ଏହି ସମୟରେ ଭିଡିଓରେ ତାଙ୍କ ଝିଅ ‘ମମ୍ମି-ମମ୍ମି’ ବୋଲି ଚିତ୍କାର କରୁଥିବା ଶୁଣିବାକୁ ମିଳୁଛି। ଖବର ଲେଖା ହେବାସୁଦ୍ଧା ମହିଳାଙ୍କ ପତ୍ତା ମିଳିନାହିଁ।
ଅପରପକ୍ଷେ ରିଲ୍ସ ତିଆରି କରୁଥିବା ଲୋକଙ୍କ ବିଷୟରେ ସାମାଜିକ ଗଣମାଧ୍ୟମରେ ଅନେକ କମେଣ୍ଟ କରାଯାଉଛି। ଲୋକେ କହୁଛନ୍ତି ଯେ, ରିଲ୍ସ ଏବଂ ଫଟୋ ପାଇଁ ଲୋକମାନେ ନିଜ ଜୀବନକୁ ବିପଦରେ ପକାଇବାକୁ ପଛାଉ ନାହାନ୍ତି।
Powered by Froala Editor