ଫ୍ରାନ୍ସ ଠାରୁ ଭାରତ କିଣିବ ୨୬ଟି ରାଫେଲ-ମାରାଇନ୍ ଯୁଦ୍ଧବିମାନ

ନୂଆଦିଲ୍ଲୀ: ଫ୍ରାନ୍ସ ଠାରୁ ଭାରତ ୨୬ଟି ରାଫେଲ-ମାରାଇନ୍ ଯୁଦ୍ଧବିମାନ କିଣିବ। ଏଥିପାଇଁ ପ୍ରାୟ ୬୪,୦୦୦ କୋଟି ଟଙ୍କା ବ୍ୟୟ କରାଯିବ। ଏହି ଯୁଦ୍ଧବିମାନ କ୍ରୟ ସମ୍ପର୍କିତ ନିଷ୍ପତ୍ତିକୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସୁରକ୍ଷା କ୍ୟାବିଟେନ୍ କମିଟି (ସିସିଏସ୍) ଅନୁମୋଦନ କରିଛନ୍ତି। ଏହି ରାଫେଲ ମାରାଇନ ଯୁଦ୍ଧବିମାନକୁ ଯୁଦ୍ଧବିମାନ ବହନକାରୀ ଯୁଦ୍ଧଜାହାଜ ଆଇଏନଏସ୍ ବିକ୍ରାନ୍ତରେ ମୁତୟନ କରାଯିବ। ଫ୍ରାନ୍ସ ଠାରୁ କିଣାଯିବାକୁ ଥିବା ରାଫେଲ ମାରାଇନ ଯୁଦ୍ଧବିମାନ ମଧ୍ୟରୁ ୨୨ଟି ଏକ ଆସନ ବିଶିଷ୍ଟ ଓ ୪ଟି ଦୁଇ ଆସନ ବିଶିଷ୍ଟ। ଦୁଇ ଆସନ ବିଶିଷ୍ଟ ଯୁଦ୍ଧବିମାନକୁ ପ୍ରଶିକ୍ଷଣ ଲାଗି ବ୍ୟବହାର କରାଯିବ। ଏହି ଯୁଦ୍ଧିବିମାନ କ୍ରୟ ଲାଗି ଆଗାମୀ ଦିନରେ ଫ୍ରାନ୍ସ ସହିତ ଭାରତ ସରକାର ବୁଝାମଣା ସ୍ବାକ୍ଷର କରିବେ। ବୁଝାମଣା ସ୍ବାକ୍ଷର ପରେ ୨୦୩୦-୩୧ ସୁଦ୍ଧା ଫ୍ରାନ୍ସ ଏହିସବୁ ଯୁଦ୍ଧବିମାନ ଯୋଗାଇ ଦେବ। ଯୁଦ୍ଧବିମାନ ଯୋଗାଣ ପରେ ଫ୍ରାନ୍ସ ୫ବର୍ଷ ପାଇଁ ମରାମତି ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଯୋଗାଇ ଦେବ। ଏହି ବୁଝାମଣାରେ ଭାରତ ଏହାର ବାୟୁସେନା ପାଇଁ କ୍ରୟ କରିଥିବା ୩୬ଟି ରାଫେଲ ଯୁଦ୍ଧବିମାନକୁ ଅପଗ୍ରେଡ କରିବ। ୨୦୧୬ରେ ଭାରତ ୫୯,୦୦୦ କୋଟି ଟଙ୍କା ବ୍ୟୟରେ ଫ୍ରାନ୍ସ ଠାରୁ ୩୬ଟି ରାଫେଲ ଯୁଦ୍ଧବିମାନ କ୍ରୟ କରିଥିଲା।
ଭାରତ ନୌସେନା ପାଖରେ ଏବେ ୪୦ଟି ମିଗ୍-୨୯କେ ଯୁଦ୍ଧବିମାନ ରହିଛି। ଏହି ଯୁଦ୍ଧବିମାନକୁ ଆଇଏନଏସ୍ ବିକ୍ରମାଦିତ୍ୟ ଓ ଆଇଏନଏସ୍ ବିକ୍ରାନ୍ତରେ ମୁତୟନ କରାଯାଇଛି। ୨୦୦୯ରେ ମିଗ୍-୨୯କେ ଯୁଦ୍ଧବିମାନକୁ ରୁଷ୍ ଠାରୁ କ୍ରୟ କରାଯାଇଥିଲା। ତେବେ ଏହି ଯୁଦ୍ଧବିମାନଗୁଡିକ ପୁରୁଣା ହୋଇଗଲାଣି। ତେଣୁ ଏହି ଯୁଦ୍ଧବିମାନ ସ୍ଥାନରେ ରାଫେଲକୁ ସାମିଲ କରାଯିବ।
Powered by Froala Editor