ଜୋତା ଚୋରିକୁ ନେଇ ବରକୁ ଭିକାରୀ କହିଲା ଶାଳୀ

ନୂଆଦିଲ୍ଲୀ: ବିବାହ ସମାରୋହରେ ଅନେକ ରୀତିନୀତି ପାଳନ କରାଯାଏ । ଏହି ସମୟରେ ଅନେକ ଛୋଟ ବଡ କଳହ ହୋଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥାଏ । ମାତ୍ର ଉତ୍ତରପ୍ରଦେଶର ବିଜନୌରରେ ଜୋତା ଚୋରି କରିବା ପ୍ରଥାରୁ ମହାଭାରତ ସୃଷ୍ଟି ହୋଇଥିଲା । ମାମଲା ସିଧାସଳଖ ଥାନାରେ ପହଞ୍ଚିଥିଲା । ଶାଳୀ ଜୋତା ଫେରାଇବା ବଦଳରେ ଟଙ୍କା ମାଗିବା ପରେ ବିବାହ ମଣ୍ଡପରେ ଆରମ୍ଭ ହୋଇଥିଲା ଖାଲି ଗୋଇଠା, ବିଧା, ଲାଠି ମାଡ । ଉଭୟ ବର ଓ କନ୍ୟା ପକ୍ଷଙ୍କ ମଧ୍ୟରେ ପ୍ରବଳ ମାଡ୍ପିଟ୍ ପରେ ପୁଲିସ ଆସି ପହଞ୍ଚିଥିଲା ।
ଘଟଣା କ୍ରମେ ଡେରାଡୁନ୍ର ଚକରୌତାରୁ ମହମ୍ମଦଙ୍କ ବରଯାତ୍ରୀ ବିଜନୌରର ଗଡମପୁରରେ ପହଞ୍ଚିଥିଲା । ବର ପହଞ୍ଚିବା ପରେ ସବୁକିଛି ଠିକ୍ଠାକ୍ ଚାଲିଥିଲା। ବାଜା, ନାଚଗୀତରେ ସଭିଏଁ ହସଖୁସିରେ ଥିଲେ । ମାତ୍ର ଜୋତା ଚୋରି ପ୍ରଥା ପରେ ହିଁ ସବୁକିଛି ବଦଳିଯାଇଥିଲା । ଆରମ୍ଭ ହୋଇଥିଲା ପ୍ରବଳ ମାଡପିଟ୍ । ଶାଳୀ ପରମ୍ପରା ଅନୁଯାୟୀ, ବରଙ୍କ ଜୋତା ଚୋରି କରିଥିଲେ। ଜୋତା ବଦଳରେ ୫୦ ହଜାର ଟଙ୍କା ମାଗି ଥିଲେ । ମାତ୍ର ବର ଜଣଙ୍କ ୫ ହଜାର ହିଁ ଦେବେ ବୋଲି ରାଜି ହୋଇଥିଲେ। ଏହାପରେ ଶାଳୀ ବରକୁ ଭିକାରୀ କହିବା ପରେ ମହାଭାରତ ଆରମ୍ଭ ହୋଇଯାଇଥିଲା। ବର ଆଉ କନ୍ୟାଙ୍କୁ ସାଙ୍ଗରେ ନେବାକୁ ରାଜି ନହେବାରୁ କଳହ ବଢିଥିଲା । ମାଡ୍ପିଟ୍ ପରେ କନ୍ୟାପକ୍ଷ ବରପକ୍ଷଙ୍କୁ ଏକ ଘରେ ବନ୍ଦ କରି ଦେଇଥିଲେ।
ଏହାପରେ ଘଟଣା ବିଷୟରେ ଖବର ପାଇ ପୁଲିସ ଆସି ସଭିଁଙ୍କୁ ଶାନ୍ତ କରି ଉଭୟ ପକ୍ଷଙ୍କୁ ଥାନାକୁ ନେଇଥିଲା । ଏହାପରେ ବୁଝାସୁଝା କରିବା ପରେ ସଭିଏଁ ଶାନ୍ତ ହୋଇଥିଲେ ।
Powered by Froala Editor