ଆଜି ଖୋଲା ରହିବ ସ୍କୁଲ
ଭୁବନେଶ୍ବର : ବୁଧବାର ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ, ବିଶ୍ବବିଦ୍ୟାଳୟ, ଡିଗ୍ରୀ ମହାବିଦ୍ୟାଳୟ ଓ ଶିକ୍ଷକ ପ୍ରତିଷ୍ଠାନ ଖୋଲା ରହିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶନାମା ପ୍ରକାଶ ପାଇଛି। ପଞ୍ଚାୟତିରାଜ ଦିବସ ପାଳନ ପାଇଁ ପୂର୍ବ ସରକାର ମାର୍ଚ୍ଚ ୫କୁ ଛୁଟି ଘୋଷଣା କରୁଥିଲେ। ନୂଆ ସରକାର ମାର୍ଚ୍ଚ ୫ ପରିବର୍ତ୍ତେ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଏହି ଛୁଟିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବାତିଲ କରାଯାଇଛି। ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ହେବ; କିନ୍ତୁ ଏହି ଦିବସକୁ ସରକାରୀ ଛୁଟି ଭାବେ ପାଳନ କରାଯିବ ନାହିଁ ବୋଲି ଗତକାଲି ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଅନୁମୋଦନ କରିଥିଲେ। ସ୍କୁଲ ଖୋଲା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଶ୍ରୀ ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି, ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ଖୋଲା ରହିବ। ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ମୌସୁମୀ ନାୟକ ବିଭାଗ ଅଧୀନସ୍ଥ ସମସ୍ତ ବିଶ୍ବବିଦ୍ୟାଳୟର କୁଳସଚିବ ଏବଂ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ, ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ସମସ୍ତ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କୁ ଚିଠି ଲେଖି ମାର୍ଚ୍ଚ ୫ରେ ହେଉଥିବା ଛୁଟି ବାତିଲ କରାଯାଇଛି ବୋଲି ଅବଗତ କରିଛନ୍ତି। ଆଜି ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ଏବଂ ସରକାରୀ ଶିକ୍ଷକ ପ୍ରତିଷ୍ଠାନ ଖୋଲା ରହିବ ବୋଲି ନିର୍ଦେଶନାମା ଜାରି କରାଯାଇଛି।
Powered by Froala Editor