୧୬ ମାସର ଜନ୍ମେଶ ହୋଇଗଲା ଅମର

ବୟସ ମାତ୍ର ୧୬ ମାସ। ଜୀବନ କ’ଣ ଜାଣିବା ପୂର୍ବରୁ ସେ ହୋଇଯାଇଛନ୍ତି ଅମର। ନିଜ କିଡ୍ନୀ(ବୃକକ୍) ଏବଂ ଲିଭର(ଯକୃତ) ଦାନ କରି ୧୬ ମାସର ଜନ୍ମେଶ ଦୁଇ ରୋଗୀଙ୍କୁ ଦେଇଛନ୍ତି ନୂଆ ଜୀବନ। ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଥିଲେ ସୁଦ୍ଧା ଦୁଇଜଣଙ୍କୁ ଅଙ୍ଗଦାନ କରି ହୋଇଯାଇଛନ୍ତି ଅମର । ଓଡ଼ିଶାର ସବୁଠାରୁ କନିଷ୍ଠ ଅଙ୍ଗଦାତା ମାଷ୍ଟର ଜନ୍ମେଶଙ୍କ ଶରୀରରୁ ସଫଳତାର ସହିତ ବୃକକ୍ ଓ ଯକୃତ ସଂଗ୍ରହ କରାଯାଇଥିବା ଭୁବନେଶ୍ବର ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ଗତ ମାସ ୧୨ ତାରିଖରେ ଏମ୍ସ ଭୁବନେଶ୍ୱରର ଶିଶୁ ରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ ଜନ୍ମେଶ। ଶ୍ବାସକ୍ରିୟାଜନିତ ରୋଗରେ ପୀଡ଼ିତ ହୋଇ ଜନ୍ମେଶ ଡାକ୍ତର କୃଷ୍ଣମୋହନ ଗୁଲ୍ଲାଙ୍କ ତତ୍ତ୍ୱାବଧାନରେ ଚିକିତ୍ସାଧୀନ ଥିଲେ। ସିପିଆର୍ ଦିଆଯିବା ପରେ ଦୁଇ ସପ୍ତାହ ଧରି ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ସବୁ ଚେଷ୍ଟା ସତ୍ତ୍ବେ ଗତ ୧ ତାରିଖରେ ତାଙ୍କୁ ମସ୍ତିଷ୍କ ମୃତ (ବ୍ରେନ୍ ଡେଡ୍) ଘୋଷଣା କରାଯାଇଥିଲା। ଏମ୍ସ ଭୁବନେଶ୍ୱର ଡାକ୍ତରୀ ଦଳ ନିକଟରୁ ଅଙ୍ଗଦାନ ବିଷୟରେ ପରାମର୍ଶ ପାଇ ପରିବାର ଲୋକଙ୍କ ସହିତ ବିଚାର ବିମର୍ଶ ପରେ ଶୋକାକୁଳ ପିତାମାତା ଏଥି ପାଇଁ ସମ୍ମତି ପ୍ରଦାନ କରିଥିଲେ।
ଜନ୍ମେଶ ଲେଙ୍କାଙ୍କ ପିତାମାତାଙ୍କ ଏପରି ସାହସିକ ନିଷ୍ପତ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି। ଏମ୍ସ ଭୁବନେଶ୍ବରର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡା. ଆଶୁତୋଷ ବିଶ୍ବାସ ଅଙ୍ଗ ପୁନରୁଦ୍ଧାର ଏବଂ ପ୍ରତିରୋପଣ ପ୍ରକ୍ରିୟାର ସଫଳ କାର୍ଯ୍ୟକାରିତା ସୁନିଶ୍ଚିତ କରିବାରେ ସେମାନଙ୍କର ନିରନ୍ତର ପ୍ରୟାସ ଉପରେ ଆଲୋକପାତ କରି ପ୍ରତିରୋପଣ ସମନ୍ୱୟ ଦଳ ଏବଂ ସମ୍ପୃକ୍ତ ଡାକ୍ତରୀ ଦଳକୁ ପ୍ରଶଂସା କରିଛନ୍ତି।
Powered by Froala Editor