କାନ୍ଦୁଛି ଟମାଟୋ ଚାଷୀ : ୨ ଟଙ୍କାରେ ବିକ୍ରି, ତୋଳିବା ଖର୍ଚ୍ଚ ବି ଉଠୁନି
ଟମାଟୋ ଚାଷ କରି ଏବେ କାନ୍ଦୁଛନ୍ତି ଢେଙ୍କାନାଳର ଚାଷୀ । ବଜାରରେ ଟମାଟୋ ଦର କେଜି ପିଛା ୨୦ ଟଙ୍କା । ହେଲେ ଢେଙ୍କାନାଳ ସହରଠାରୁ ୧୦ କିଲୋମିଟର ଦୂର ଶଙ୍କରପୁର ଅଞ୍ଚଳର ଚାଷୀଙ୍କ ବିଲମୁଣ୍ଡରେ କେଜି ପିଛା ଦର ମାତ୍ର ୨ ଟଙ୍କା । ବେପାରୀଙ୍କ ଜୁଲମ୍ ଆଗରେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି । ଚାଷ ଖର୍ଚ୍ଚ ଦୂରର କଥା ତୋଳିବା ଖର୍ଚ୍ଚ ମଧ୍ୟ ଉଠୁନି ।
ଚଳିତ ବର୍ଷ ଜିଲ୍ଲାରେ ପ୍ରାୟ ୫ଶହ ଏକର ଜମିରେ ଟମାଟୋ ଚାଷ ହୋଇଛି । ଅଦିନିଆ ବର୍ଷାରେ ଧାନ ନଷ୍ଟ ସହ ଏଫ୍ଏକ୍ୟୁ ମାନକୁ ଡରି ଅନେକ ଚାଷୀ ଦଲାଲ ହାତରେ ଦରଅଦରରେ ଧାନ ଟେକିଦେଇଥିଲେ । ଆଶା ଥିଲା ପରବର୍ତ୍ତୀ ଫସଲରେ ଦୁଇ ପଇସା ପାଇଲେ ପରିବାର ଚଳିବ । ଅମଳ ବେଳକୁ କିନ୍ତୁ ଏଭଳି ଅଭାବୀ ବିକ୍ରି ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି ।
ବଜାରରେ ଦର ପୂର୍ବପେକ୍ଷା କମିଥିଲେ ବି ଏବେ ଟମାଟୋ କେଜି ପିଛା ୧୫ରୁ ୨୦ ଟଙ୍କା ରହିଛି । ସୋମବାର ରଥଗଡ଼ା ପରିବା ବଜାରରେ କେଉଁଠି କେଜି ୨୦ ଟଙ୍କା ରହିଥିବା ବେଳେ କେଉଁଠି ଦେଢ଼ କେଜିକୁ ୨୦ ଟଙ୍କାରେ ବିକ୍ରି ହେଉଥିଲା । ଚାଷୀର ବିଲମୁଣ୍ଡରେ ମାତ୍ର ୨ଟଙ୍କା ରହିଥିବା ବେଳେ ବଜାରରେ ୨୦ ଟଙ୍କା ଆଶ୍ଚର୍ଯ୍ୟ କରୁଛି । ପରିବା ବେପାରୀଙ୍କ କହିବା କଥା, ଚାଷୀଙ୍କ ପାଖରୁ ଛୋଟ, ବଡ଼, ଫଟା ଆଦି ମିଶା ଟମାଟୋ ଆସୁଛି । ଦିନକ ପରେ ବହୁ ପରିମାଣରେ ପଚା ବାହାରୁଛି । ଗାଡ଼ି ଖର୍ଚ୍ଚ ଆଦି ସବୁକୁ ଦେଖିଲେ ଦର ଠିକ୍ ରହିଛି ବୋଲି ଜଣେ ପରିବା ବ୍ୟବସାୟୀ କହିଛନ୍ତି ।
ଅନ୍ୟପଟେ ଶଙ୍କରପୁର ଅଞ୍ଚଳର ଚାଷୀ କହିଛନ୍ତି, ଟମାଟୋ ଚାଷ ପାଇଁ ଏକର ପିଛା ୨୫ରୁ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଏବେ ଅମଳ ବେଳକୁ ଦର ୨ ଟଙ୍କା ହୋଇଯିବାରୁ ଚିନ୍ତାରେ ପଡ଼ିଛୁ । ଅନ୍ୟ ଫସଲ ଭଳି ଏହା ଅଧିକ ଦିନ ରହିପାରିବ ନାହିଁ । ପଚିଯିବା ପୂର୍ବରୁ ବାଧ୍ୟ ହୋଇ ୨ଟାରେ ବିକ୍ରି କରୁଛୁ । ବେପାରୀ ୨୫ କେଜି ଟ୍ରେ ପିଛା ଶହେରୁ ୧୨୦ ପର୍ଯ୍ୟନ୍ତ ଦେଉଛନ୍ତି । ତୋଳିବା ମଜୁରୀ ବି ଉଠୁନି ବୋଲି କହିଛନ୍ତି ।
Powered by Froala Editor