ଏଣିକି ସ୍କୁଲ୍ରେ ମଧ୍ୟାହ୍ନଭୋଜନ ଖାଇବେ ନବମ, ଦଶମ ପିଲା

ବିଦ୍ୟାଳୟରେ ପିଲା ମାନଙ୍କ ଉପସ୍ଥାନ ବୃଦ୍ଧି କରିବା ପାଇଁ ଓଡିଶା ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଏଣିକି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମିଳିବ ମଧ୍ୟାହ୍ନ ଭୋଜନ । କଟକରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ଘୋଷଣା କରିଛନ୍ତି । ପୂର୍ବରୁ ବିଦ୍ୟାଳୟରେ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ମିଳୁଥିଲା । ଛାତ୍ରଛାତ୍ରୀମାନେ ଯେଭଳି ପାଠରେ ଧ୍ୟାନ ଦେଇପାରିବ ଏବଂ କେହି ମଧ୍ୟ ଭୋକରେ ରହିବେନି ସେନେଇ ଏହି ବ୍ୟବସ୍ଥା କରାଯାଉଛି । ଅର୍ଥାତ୍ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାର ଲାଭ ମିଳିପାରିବ ।
ଏହି ଅବସରରେ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍କୁଲ ଛାଡିବା ବନ୍ଦ କରିବାକୁ ସରକାର ଯଥାସାଧ୍ୟ ଚେଷ୍ଟା କରିବେ। ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରିବାକୁ ସେ ତାଙ୍କ ସରକାରଙ୍କ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରତୀକ ବିଦ୍ୟାଲୟ ପ୍ରତିଷ୍ଠା ପାଇଁ ସରକାର ୪-୫ କୋଟି ଟଙ୍କା ଖର୍ଚ୍ଚ କରିବେ। ପ୍ରାଥମିକ ଶିକ୍ଷା ଉପରେ ଧ୍ୟାନ ନ ଦେଇଥିବାରୁ ସେ ପୂର୍ବ ବିଜେଡି ସରକାରଙ୍କୁ ନିନ୍ଦା କରିଛନ୍ତି।
Powered by Froala Editor