ଅଜବ ଚିକିତ୍ସା : ୭ ବର୍ଷର ଆହତ ଶିଶୁ କ୍ଷତରେ ଫେଭିକ୍ୱିକ୍ ଲଗାଇଦେଲେ ନର୍ସ

ଜଣେ ୭ବର୍ଷର ଆହତ ଶିଶୁ ସହ ହସ୍ପିଟାଲ କର୍ମଚାରୀଙ୍କ ଅବହେଳା ସମସ୍ତଙ୍କୁ ଚକିତ କରିଦେଇଛି । କ୍ଷତ ସ୍ଥାନରେ ଷ୍ଟିଚ୍ ପକାଇବା ବଦଳରେ ଫେଭିକ୍ୱିକ୍ ମାରି ଚିକିତ୍ସା କଲେ ନର୍ସ । ଏଭଳି ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି କର୍ଣ୍ଣାଟକ ହାବେରୀ ଜିଲ୍ଲାରୁ । ଏଠାରେ ଏକ ଡାକ୍ତରଖାନାକୁ ଆସିଥିବା ଜଣେ ୭ ବର୍ଷୀୟ ବାଳକର ଗଭୀର କ୍ଷତରେ ଷ୍ଟିଚ୍ ପଡିବା ବଦଳରେ ଫେଭିକ୍ୱିକ୍ ଲଗାଯାଇଥିବା ଅଭିଯୋଗ ହୋଇଛି ।
ଯେତେବେଳେ ପିଲାଟିର ପରିବାର ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ,ନର୍ସ କହିଲେ ଯେ, ସେ ବର୍ଷ ବର୍ଷ ଧରି ଏପରି କରିଆସୁଛନ୍ତି। ତେଣୁ ବ୍ୟସ୍ତ ହେବାର କିଛି ଦରକାର ନାହିଁ ବୋଲି ଉତ୍ତର ରଖିଥିଲେ । ଯାହା ପରେ ନର୍ସଙ୍କୁ ନିଲମ୍ବନ କରାଯାଇଛି।
ଘଟଣାଟି ଗତ ୧୪ ତାରିଖର । ଗୁରୁକ୍ରିଷ୍ଣା ଅନ୍ନାପ୍ପା ନାମକ ଜଣେ ୭ ବର୍ଷୀୟ ବାଳକ ଖେଳୁଥିବା ବେଳେ ତା'ର ଗୋଡ ଓ ମୁହଁରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା । ପିଲାଟିକୁ ସଙ୍ଗେ ସଙ୍ଗେ ଆଦୂର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । କ୍ଷତ ସ୍ଥାନରେ ୩ଟି ଷ୍ଟିଚ୍ ପଡିବା ଦରକାର ଥିଲା । ହେଲେ ସେଠି କାର୍ଯ୍ୟରତ ଥିବା ନର୍ସ ଜ୍ୟୋତି ପିଲାଟିର କ୍ଷତରେ ସିଲେଇ କରିବା ବା ଷ୍ଟିଚ୍ ପକାଇବା ବଦଳରେ ଫେଭିକ୍ୱିକ୍ ଲଗାଇ ଦେଇଥିଲେ ।
ଯାହାକୁ ନେଇ ପରିବାର ସଦସ୍ୟମାନେ ନର୍ସଙ୍କ ବିରୋଧରେ ଅଭିଯୋଗ କରିଥିଲେ ଏବଂ କର୍ତ୍ତୁପକ୍ଷଙ୍କୁ ଭିଡିଓ ମଧ୍ୟ ଦେଖାଇଥିଲେ । ଏହା ପରେ ନର୍ସଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଏବଂ ତାଙ୍କୁ ବୁଧବାର ନିଲମ୍ବିତ କରାଯାଇଥିଲା । ଅନ୍ୟପଟେ ପିଲାଟି ସୁସ୍ଥ ଥିବା ନେଇ ପରିବାର ଲୋକ ସୂଚନା ଦେଇଛନ୍ତି ।
Powered by Froala Editor