ଟିକେଟ ପାଇଁ ଅସମ୍ଭାଳ ଭିଡ଼, ବ୍ୟାରିକେଡ୍ ଭାଙ୍ଗିଲେ ଲୋକେ

୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ । ଏନେଇ ଟିକେଟ୍ ବିକ୍ରି ଜାରି ରହିଥିବା ବେଳେ ତାତିଗଲେ ଲୋକେ । ଅସମ୍ଭାଳ ଭିଡ ସହ ଠେଲାପେଲା ପରେ ଶେଷରେ ବ୍ୟାରିକେଡ୍ ଭାଙ୍ଗି ଦେଇଛନ୍ତି ଲୋକେ । ଦୀର୍ଘ ସମୟ ଧରି ଧାଡିରେ ଛିଡା ହେବା ପରେ ଟିକେଟ୍ ନମିଳିବାରୁ ଶେଷରେ ଉତ୍ତ୍ୟକ୍ତ ହୋଇ ଲୋକେ ବ୍ୟାରିକେଡ୍ ଭାଙ୍ଗିଦେଇଛନ୍ତି ।
ମ୍ୟାଚକୁ ନେଇ ବୁଧବାରଠୁ ଅଫଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିବା ବେଳେ କାଉଣ୍ଟରରୁ ହିଁ ଧାଡି ଦେଖାଯାଇଥିଲା । ଏଥିପାଇଁ ଅସମ୍ଭାଳ ଭିଡ ସହ ଧସ୍ତାଧସ୍ତି ପରିସ୍ଥିତି ଦେଖିବାକୁ ମିଳିଥିଲା । ଭିଡକୁ ନିୟନ୍ତ୍ରଣ କରିବା ପୁଲିସ ପକ୍ଷେ କାଠିକର ପାଠ ହୋଇଯାଇଥିଲା । ଅସମ୍ଭାଳ ଭିଡ ପାଇଁ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି । ଶେଷରେ ବୁଧବାର ସନ୍ଧ୍ୟାରେ କ୍ରିକେଟ୍ ପ୍ରେମୀ କ୍ଷୋଭ ପ୍ରକାଶ କରି ବ୍ୟାରିକେଡ୍ ଭାଙ୍ଗିଦେଇଛନ୍ତି ।
ଷ୍ଟାଡିୟମ ନିକଟରେ ୪ଟି କାଉଣ୍ଟରର ବ୍ୟବସ୍ଥା ହୋଇଛି । ଟିକେଟ୍ ବିକ୍ରିକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାରିକେଡ ବନ୍ଧା ଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମୋଟ ୧୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାରି ଭିତରେ ସନ୍ଧ୍ୟା 6 ଟାରେ କାଉଣ୍ଟର ବନ୍ଦ ହେବା କାରଣରୁ ତାତିଯାଇ ବ୍ୟାରିକେଡ୍ ଭାଙ୍ଗି ଦେଇଥିବା ଜଣାପଡିଛି ।
Powered by Froala Editor