ଏକ୍ଜିଟ୍ ପୋଲ୍ : ଦିଲ୍ଲୀରେ ସରକାର ଗଢ଼ିପାରେ ବିଜେପି

୫ ଫେବ୍ରୁଆରିରେ ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ମତଦାନ ଶେଷ ହୋଇଛି। ଦିଲ୍ଲୀର ୭୦ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି। ଫଳାଫଳ ୮ ତାରିଖରେ ଘୋଷଣା କରାଯିବ। ଏହା ପୂର୍ବରୁ ଏକଜିଟ୍ ପୋଲ ଫଳାଫଳ ଆସିଛି। ଏକଜିଟ ପୋଲ କରିଥିବା ଅନେକ ସଂସ୍ଥା ବିଜେପିକୁ ବହୁମତ ମିଳିବ ବୋଲି ଆକଳନ କରିଛନ୍ତି।
୭୦ଟି ଆସନକୁ ନେଇ ଦିଲ୍ଲୀ ବିଧାନସଭା ଗଠିତ। ସରକାର ଗଢ଼ିବା ଲାଗି ୩୬ ଆସନରେ ବିଜୟୀ ହେବା ଦରକାର। ବୁଧବାର ସମସ୍ତ ୭୦ ଆସନରେ ଭୋଟଗ୍ରହଣ ହୋଇଥିଲା। ମତଦାନ ପରେ ବିଭିନ୍ନ ସଂସ୍ଥା ବୁଥଗୁଡ଼ିକରୁ ମତଦାତାଙ୍କ ମତାମତ ସଂଗ୍ରହ କରି ନିର୍ବାଚନ ଫଳାଫଳ ଆକଳନ କରିଛନ୍ତି।
ମାଟ୍ରିଜ ସଂସ୍ଥା ଅନୁସାରେ ନିର୍ବାଚନରେ ଆପ୍କୁ ୩୨ରୁ ୩୭ ଆସନ ମିଳୁଥିବା ବେଳେ ବିଜେପିକୁ ୩୫ରୁ ୪୦ ଆସନ ମିଳିବ। କଂଗ୍ରେସକୁ ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ଚାଣକ୍ୟ ଷ୍ଟ୍ରାଟେଜିସ୍ ଏକଜିଟ୍ ପୋଲ ଅନୁସାରେ ବିଜେପି ୩୯ରୁ ୪୪, ଆପ୍ ୨୫ରୁ ୨୮ ଏବଂ କଂଗ୍ରେସ ୨ରୁ ୩ ଆସନ ପାଇବ। ସେହିପରି ପି-ମାର୍କ ଏକଜିଟ୍ ପୋଲରେ ବିଜେପି ୩୯ରୁ ୪୯, ଆପ ୨୧ରୁ ୩୧ ଏବଂ କଂଗ୍ରେସ ଗୋଟିଏ ଆସନ ପାଇବ। ପୋଲ ଡାଏରୀ ଅନୁସାରେ ବିଜେପିକୁ ୪୨ରୁ ୫୦, ଆପ୍କୁ ୧୮ରୁ ୨୫ , କଂଗ୍ରେସକୁ ୨ ଆସନ ଏବଂ ଅନ୍ୟ ଦଳଙ୍କୁ ଗୋଟିଏ ଆସନ ମିଳିବ। ପିପୁଲ ପଲସ୍ ଅନୁସାରେ ବିଜେପିକୁ ୫୧ରୁ ୬୦, ଆପ୍କୁ ୧୦ରୁ ୧୯ ଆସନ ଏବଂ କଂଗ୍ରେସକୁ କୌଣସି ଆସନ ମିଳିବ ନାହିଁ। ଟାଇମ୍ସ ନାଓ ଅନୁସାରେ ବିଜେପିକୁ ୩୯ରୁ ୪୫, ଆପ୍କୁ ୨୨ରୁ ୩୧,ଏବଂ କଂଗ୍ରେସକୁ ୨ ଆସନ ମିଳିବ।
୨୦୧୫ର ଏକଜିଟ୍ ପୋଲରେ ଛଅଟି ଏକଜିଟ୍ ପୋଲ ଆପ୍ ପାଇଁ ସ୍ପଷ୍ଟ ବହୁମତ ହେବ ବୋଲି ପୂର୍ବାନୁମାନ କରିଥିଲେ। ଏହି ଛଅଟି ପୋଲର ହାରାହାରି ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଦଳ ୪୫ଟି ଆସନରେ, ବିଜେପି ୨୪ଟି ଆସନରେ ଏବଂ କଂଗ୍ରେସ ଗୋଟିଏ ଆସନ ମିଳିବ ବୋଲି ପୂର୍ବାନୁମାନ କରାଯାଇଥିଲା। ଫଳାଫଳରେ, ଆପ୍ ୬୭ଟି ଆସନ ଜିତିଥିଲା। ଯେତେବେଳେ ବିଜେପି କେବଳ ୩ଟି ଆସନ ପାଇଥିଲା।
Powered by Froala Editor