ଟିକାର ଅଭାବ , ୨୫ ଲକ୍ଷ ଟିକା ପଠାଇବାକୁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାର ଅଭାବ ରହିଛି । ଦୈନିକ ଯେତିକି ସଂଖ୍ୟକ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ତାହା ସଫଳ ହୋଇପାରୁନାହିଁ । ତେଣୁ ‘ଟିକା ଉତ୍ସବ’ କୁ ସଫଳ କରିବା ଲାଗି ୨୫ ଲକ୍ଷ ଡୋଜର ଟିକା ପଠାଇବାକୁ ପୁଣିଥରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଟିକା ଅଭାବ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ରାଜ୍ୟରେ ଟିକାର ଅଭାବ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରୀ ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟ ସରକାର ଦୈନିକ ୩ ଲକ୍ଷ ଲୋକଙ୍କୁ ଟିକା ଦେବା ଲାଗି ପ୍ରସ୍ତୁତି କରିଛନ୍ତି । ମାତ୍ର ଟିକାର ଅଭାବ ପାଇଁ ଅଧିକାଂଶ ଟିକାଦାନ କେନ୍ଦ୍ରକୁ ବନ୍ଦ କରିବାକୁ ପଡ଼ିଛି । ଏପରିକି ଅଧିକାଂଶ ଜିଲ୍ଲାରେ ଟିକା ଶେଷ ହେବା ଭଳି ପରିସ୍ଥିତି ମଧ୍ୟ ଦେଖାଦେଇଛି ।