ମାଘରେ ଜାଡ଼ ଉଭାନ, ବଢ଼ିବ ଖରା
ମାଘମାସରେ ଜାଡ଼ ନାହିଁ। ଉଭାନ ହୋଇଛି ଶୀତ। ଦିନ ଭଳି ରାତି ତାପମାତ୍ରା ବୃଦ୍ଧି ପାଇଛି। ଜାନୁଆରୀ ମାସ ନ ସରୁଣୁ ଖରାଦିନ ଭଳି ଗରମ ଅନୁଭୂତ ହେଉଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ପରେ ସାରା ଓଡ଼ିଶାରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆଗାମୀ ୪ ରୁ ୫ ଦିନ ଯାଏଁ ଦିନ ଏବଂ ରାତ୍ରି ତାପମାତ୍ରା ଅଧିକା ରହିବ।
ଆଜି ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ବଢିଛି। କିଛି ସ୍ଥାନରେ ଗରମ ଅନୁଭୁବ ହୋଇଛି। କୋରାପୁଟ, କନ୍ଧମାଳ, ମୟୂରଭଂଜ ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଥିବା ବେଳେ ରାଜ୍ୟରେ ବର୍ତ୍ତମାନ ଶୀତ ଗାୟବ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ତାପମାତ୍ରା ବୃଦ୍ଧି ସହ ଆସନ୍ତା ୪୮ ଘଣ୍ଟା ଯାଏ ଘନ କୁହୁଡ଼ି ଅସ୍ତବ୍ୟସ୍ତ କରିବ। ଆଗାମୀ ୫ରୁ ୭ ଦିନ ଯାଏଁ ପାଗ ମୁଖ୍ୟତ ଶୁଖିଲା ରହିବା ସହ ରାତ୍ରି ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିବନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବୃଦ୍ଧି ଦେଖିବାକୁ ମିଳିବ।
Powered by Froala Editor